ଗାନ୍ଧୀମାର୍ଗରେ ପୁଣି ଗର୍ଜିଲେ ଗୁରୁ : ଦ୍ୱିତୀୟ ବୈଠକ ବି ବିଫଳ

ସ୍କୁଲ, କଲେଜକୁ ଫେରିବାକୁ ସରକାରଙ୍କ ଅନୁରୋଧ, ଦାବି ପୂରଣ ପାଇଁ ଦୁଇ ଦିନ ସମୟ ଦେଲା ମିଳିତ ମଞ୍ଚ

ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ୩୬ ଦିନରେ ପହଞ୍ଚିଥିଲେ ମଧ୍ୟ ଦାବି ପୂରଣ ହୋଇପାରୁନି। ଗତ ୧୨ ତାରିଖରେ ରାଜ୍ୟ ସରକାରଙ୍କ ସହ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପ୍ରଥମ ବୈଠକ ବିଫଳ ହୋଇଥିଲା। ଆଉ ଆଜି ଅନୁଷ୍ଠିତ ଦ୍ୱିତୀୟ ବୈଠକ ବି ଫଳପ୍ରଦ ହୋଇ ନାହିଁ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ସର୍ତ୍ତାବଳୀ ବ୍ୟବସ୍ଥା ଉଚ୍ଛେଦ, ୭ମ ବେତନ କମିସନରେ ଦରମା, ବକେୟା ଦରମା ପ୍ରଦାନ ପରି ଦାବିରେ ଶିକ୍ଷକମାନେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ସମାଧାନର ବାଟ ବାହାରିପାରୁନି। ତେଣୁ ଶିକ୍ଷକ, ଅଧ୍ୟାପକମାନେ ଆନ୍ଦୋଳନ ଜାରି ରଖିବେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ମିଳିତ ମଞ୍ଚର ଆହ୍ଵାନ କ୍ରମେ ପ୍ରବଳ ବର୍ଷାରେ ଆଜି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବିଧାନସଭା ସମ୍ମୁଖରେ ଏକାଠି ହୋଇ ଗର୍ଜନ କରିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ଶିକ୍ଷକମୟ ହୋଇଯାଇଥିଲା। ଶିକ୍ଷକ ନେତାମାନେ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶିକ୍ଷକଙ୍କ ଏଭଳି ରଣହୁଙ୍କାର ପରେ ଅପରାହ୍ନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ମିଳିତ ମଞ୍ଚର ପ୍ରତିନିଧିଙ୍କୁ ଡକାଯାଇଥିଲା। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ଜେନା, ଗୋଲକ ନାୟକ, ପବିତ୍ର ମହାଲା, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା ପ୍ରମୁଖ ୧୧ ଜଣଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବ ଓ ନିର୍ଦେଶକମାନେ ଉପସ୍ଥିତ ଥିଲେ। ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରାଯାଇ ଗ୍ରାଣ୍ଟ-ଇନ୍‌-ଏଡ୍‌(ଡିଆଇଏ) ବ୍ୟବସ୍ଥା ଲାଗୁ ହୋଇଛି। ୨୦୧୭ ଜିଆଇଏ ଅନୁଯାୟୀ ଜଣେ ତାଲିମପ୍ରାପ୍ତ ଶିକ୍ଷକ ପୂର୍ବରୁ ୧୭ ହଜାର ପାଉଥିବା ବେଳେ ଏବେ ମାସିକ ୩୫ ହଜାର ଟଙ୍କା ପାଇବେ। ୪୮୮ ବର୍ଗ କଲେଜର ଜଣେ ଅଧ୍ୟାପକ ମାସିକ ୩୮ ହଜାର ଟଙ୍କା ଓ ୬୬୨ ବର୍ଗ କଲେଜର ଜଣେ ଅଧ୍ୟାପକ ୩୫ ହଜାର ଟଙ୍କା ପାଇବେ। ଶତପ୍ରତିଶତ ଜିଆଇଏ ପାଉଥିବା ୧୪୯୯ କଲେଜର ୧୫ ହଜାର ୭୩୮ କର୍ମଚାରୀ, ୬୦% ଓ ୭୫% ଜିଆଇଏ ପାଉଥିବା ୨୧୬ କଲେଜର ୫୯୨ କର୍ମଚାରୀ ଉପକୃତ ହେବେ। ଏବାବଦରେ ଅର୍ଥ ବିଭାଗକୁ ବାର୍ଷିକ ୨୧୦.୭୮ କୋଟି ଟଙ୍କା ବୋଝ ପଡ଼ିବ। ସେହିପରି ବିଦ୍ୟାଳୟ କ୍ଷେତ୍ରରେ ଶତ ପ୍ରତିଶତ ଜିଆଇଏ ପାଉଥିବା ୨୮୯୭ ସ୍କୁଲର ୨୫ ହଜାର ୬୦୪ କର୍ମଚାରୀ ଓ ୪୦%, ୬୦% ଓ ୭୫% ଜିଆଇଏ ପାଉଥିବା ୮୦୪ ବିଦ୍ୟାଳୟର ୮୩୪୪ କର୍ମଚାରୀ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫୦୯ କୋଟି ଟଙ୍କା ଅଧିକ ବୋଝ ପଡ଼ିବ। ତଥାପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭୩୮.୮ କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ରାଜି ହୋଇଛନ୍ତି। ତେଣୁ ଶିକ୍ଷକ, ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେଇ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ମିଳିତ ମଞ୍ଚ ଯୁକ୍ତିି ବାଢ଼ିଛି ଯେ ଗଣଶିକ୍ଷା ବିଭାଗ ଯେଉଁ ବିଜ୍ଞପ୍ତି ପଠାଇଛି ତାହା ଗତବର୍ଷର ନିଷ୍ପତ୍ତି। ସେତେବେଳେ ସର୍ତ୍ତ ବ୍ୟବସ୍ଥା ନ ଥିଲା। ଏବେ ସୁପ୍ରିମ୍‌କୋର୍ଟଙ୍କୁ ଆଳ କରି ଶିକ୍ଷକଙ୍କୁ ସର୍ତ୍ତରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଉଛି। ତାହାକୁ ଆମେ ଗ୍ରହଣ କରିବୁ ନାହିଁ। ଏଥିସହ ୭ମ ବେତନ କମିସନ ଲାଗୁ, ବକେୟା ଦରମା ପ୍ରଦାନ, ନୂତନ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯାଉ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଦିନ ସମୟ ଦେଉଛୁ। ଯଦି ସମସ୍ୟାର ସମାଧାନ କରା ନଯାଏ ତେବେ ଆନ୍ଦୋଳନ ଭିନ୍ନ ମୋଡ଼ ନେବ ବୋଲି ଚେତାବନୀ ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର