ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

ନି‌ର୍ବାଚନରେ ଅସହଯୋଗ କରିବାକୁ ଧମକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଧମକ ସାତ୍ତ୍ବେ ପରୀକ୍ଷା ପୂର୍ବରୁ ଆରମ୍ଭ ହୋଇଛି ଶିକ୍ଷକ ଆନ୍ଦୋଳନ। ୨୨ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜିଠାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରାଯାଇଛି। ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଶେଷ ଆନ୍ଦୋଳନରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସାମିଲ୍ ହୋଇଛନ୍ତି। ଦୀର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷକୁ ବ୍ୟକ୍ତ କରିବାକୁ ଯାଇ ଶିକ୍ଷକ କର୍ମଚାରୀମାନଙ୍କ ପକ୍ଷରୁ ଶେଷ ରଣହୁଙ୍କାର ଦିଆଯାଇଛି। ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ କମିସନ ଆଧାରରେ ଦରମା ଓ ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ନ ଦେଇ ସରକାର ନିର୍ବାଚନକୁ ଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସରକାର ତୁରନ୍ତ କୌଣସି ଠୋସ୍ ନିଷ୍ପତ୍ତି ନ ନେଲେ ମିଳିତ ମଞ୍ଚ ଆ‌ଗାମୀ ନିର୍ବାଚନରେ ଅସହଯୋଗ କରିବ ବୋଲି ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କଡ଼ା ଚେତାବନୀ ଦେଇଛନ୍ତି।

ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଅନୁଦାନ ଆଇନରେ ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ କିମ୍ବା ରାଜ୍ୟର ଅନ୍ୟ ଶିକ୍ଷକ କର୍ମଚାରୀମାନେ ପାଉଥିବା ସପ୍ତମ ବେତନ ହାରରେ ଦରମା ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ଲାଗୁ କରିନାହାନ୍ତି। ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧୀ ଆଇନକୁ ଜନ୍ମ ଦେଇ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇବାର ଅପଚେଷ୍ଟା କରିଛନ୍ତି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ କିଛି ସ୍କୁଲ କଲେଜ ଅଛି ଯେଉଁଥିରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଅଧ୍ୟାପକମାନେ ୨୫ରୁ ୩୦ ବର୍ଷ ଧରି ବିନା ଦରମାରେ କାମ କରୁଛନ୍ତି। ରାଜ୍ୟ ସରକାର ଦୀର୍ଘ ୧୯ ବର୍ଷ ଧରି ଏହି ସବୁ ବର୍ଗର ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଜୀବନକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି। ସେମାନଙ୍କ କାନ୍ଧରେ ରାଜ୍ୟର ୮୦ ଭାଗ ଶିକ୍ଷାର ଭାର ଲଦି ପୁଣି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରୁଛନ୍ତି। ଅନୁଦାନ ଆଇନ ସହ ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ ଓ ସବୁ ସ୍କୁଲ କଲେଜକୁ ଅନୁଦାନ ନ ଦେଇ ଆଗକୁ ବଢ଼ିଲେ ଆଗାମୀ ନିର୍ବାଚନରେ ମିଳିତ ମଞ୍ଚ ସରକାରଙ୍କୁ ସାମ୍ନାସାମ୍ନି ବିରୋଧ କରିବ। ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନିଆଯିବ ବୋଲି ଷ୍ଟିୟରିଂ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ ଅହମ୍ମଦ, ଶଙ୍କର କୁମାର ସୁବୁଦ୍ଧି, ରମାକାନ୍ତ ମହାପାତ୍ର ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର