ସୋନପୁର : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ) ପକ୍ଷରୁ ଦୁଇ ଦଫା ଦାବି ନେଇ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦିଆଯାଇଛି। ଧାରଣା ଅପରାହ୍‌ଣ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଚାଲିଥିଲା।

Advertisment

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଖାଲିଥିବା ଲେଭେଲ-ଭି(ବି)ର ସମସ୍ତ ଶିକ୍ଷକ ପଦବି ପଦୋନ୍ନତି ମାଧ୍ୟମରେ ଅବିଳମ୍ବେ ପୂରଣ କରିବା, ମୁଖ୍ୟମନ୍ତ୍ରୀ ଦେଇଥିବା କୋହଳ ସମୟ ସୀମା (ତା ୩୦.୬.୨୦୨୨)ରିଖ ମଧ୍ୟରେ ଏହି ଶିକ୍ଷକ ମାନଙ୍କର ଲେଭେଲ-ଭି(ବି)ରୁ ଲେଭେଲ-ଆଇଭି/ଗ୍ରାଜୁଏଟ ଟିଚରକୁ ପୁନଃ ପଦୋନ୍ନତିର ସୁନିଶ୍ଚିତ ବ୍ୟବସ୍ଥା କରିବା ଆଦି ୨ ଦଫା ଦାବି ରହିଛି। ଏହି ଦାବି ନେଇ ଗତ ନଭେମ୍ବର ୨୪ ତାରିଖରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟା‌ଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଶିକ୍ଷକ ସଂଘର ପ୍ରତିନିଧି ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଧାରଣାସ୍ଥଳକୁ ଆସି ନଭେମ୍ବର ୨୮ ତାରିଖ ମଧ୍ୟରେ ପଦୋନ୍ନତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ନଭେମ୍ବର ୨୫ ତାରିଖ ଦିନ ପ୍ରତୀକାତ୍ମକ ଧାରଣା ସ୍ଥଗିତ ରଖାଯାଇଥିଲା। ଦାବି ପୂରଣ ନହେବାରୁ ବୁଧବାର ପୁଣି ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ରଥ, ଦୋଳଗୋବିନ୍ଦ ପଣ୍ଡା, ହୃ‌ଷୀକେଶ ଚାନ୍ଦ, ଦିଲ୍ଲୀପ ମିଶ୍ର, ସଞ୍ଜୟ ପଣ୍ଡା, ସୁରେଶ ପଧାନ, ମମତା ମେହେର, ସୁପ୍ରଭା ପାଣିଗ୍ରାହୀ, ମନୋଜ ସାହୁ, ଟିକେଶ୍ବର ପାଣ୍ଡିଆ, ଅର୍ଜୁନ ମେହେର ପ୍ରମୁଖ ଧାରଣାରେ ବସିଥିଲେ।