ଗାନ୍ଧୀମାର୍ଗରେ ଗୁରୁଙ୍କ ମହାସମାବେଶ

ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ନିର୍ଯାସ ବାହାରିଲାନି

ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅହୋରାତ୍ର ଗଣଧାରଣା ୬ ଦିନରେ ପହଞ୍ଚିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେନି ବୋଲି ନିଷ୍ପତ୍ତିି ନେଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ଏଥିରେ ଶିକ୍ଷକମାନଙ୍କ ଦାବି ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଖୁବ୍‌ଶୀଘ୍ର ପୁଣିଥରେ କମିଟିର ବୈଠକ ବସି ଦାବି ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ପୂର୍ବର୍ ନିଷ୍ପତ୍ତି ଅନୁଯାୟୀ ଆଜି ମିଳିତ ମଞ୍ଚ ପକ୍ଷରୁ ଲୋୟର ପିଏମ୍‌ଜିରେ ମହାସମାବେଶ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ଓ ଅଧ୍ୟାପକ ସାମିଲ ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ। ଆସନ୍ତା ୨୫ ତାରିଖ ପର୍ଯର୍୍ୟନ୍ତ ରାଜ୍ୟ ସରକାରଙ୍କୁ ସମୟ ଦିଆଯାଉଛି। ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନହୁଏ ତେବେ ‘କର ବା ମର’ ପନ୍ଥା ଆପଣାଯିବ। ଗାଁଠୁୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ଗାଁ ଗାଁରେ ସଭା, ସମାବେଶ କରାଯିବ। ସାଧାରଣ ଲୋକ, ବୁଦ୍ଧିଜୀବୀ, ରାଜନୈତିକ ଦଳ, ଛାତ୍ର ସଙ୍ଗଠନକୁ ସାମିଲ କରାଯାଇ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏଥିରେ ଶିକ୍ଷକ ନେତାମାନଙ୍କୁ ଡକାଯାଇ ନ ଥିଲା। ଏପର୍ଯ୍ୟନ୍ତ ସରକାରଙ୍କର କୌଣସି ବି ପ୍ରତିନିଧି ଆମ ସହ ଆଲୋଚନା କରିନାହାନ୍ତି। ଏଦିଗରେ ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ସ୍କୁଲ ଓ କଲେଜରେ ତାଲା ପଡ଼ିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଆନ୍ଦୋଳନରୁ ଘରକୁ ଫେରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଜଣେ ଅଧ୍ୟାପକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରର ଜଣକୁ ଚାକିରି ଦେବାକୁ ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର