ପୁଣିଥରେ ଦାନା ବାନ୍ଧିଲା ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ : ଗାନ୍ଧୀ ମାର୍ଗରେ ଗର୍ଜିଲେ ଶିକ୍ଷକ

ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା ଆରମ୍ଭ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ପୁଣିଥରେ ଦାନା ବାନ୍ଧିଲା ଶିକ୍ଷକ ଅନ୍ଦୋଳନ। ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିବା ସତ୍ତ୍ୱେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନକ୍ରମେ ଶିକ୍ଷକ-ଅଧ୍ୟାପକମାନେ ଆଜି ବିଧାନସଭା ସମ୍ମୁଖରେ ଗର୍ଜନ କରିଛନ୍ତି। ଯୋଗ୍ୟ ବିବେଚିତ ଦିନଠାରୁ ଚାକିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ ସହିତ ପୂର୍ଣ୍ଣଅନୁଦାନ ପ୍ରଦାନ କରିବା ଦାବିରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ-ଅଧ୍ୟାପକମାନେ ଭୁବନେଶ୍ୱର ରେଳଷ୍ଟେସନ୍‌ରୁ ଏକ ବିଶାଳ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ। ଗାନ୍ଧୀ ମାର୍ଗ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ମିଳିତ ମଞ୍ଚ ପକ୍ଷରୁ ମହାସମାବେଶ କରାଯାଇଥିଲା। ଏଥିରେ ଯୋଗଦେଇ ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଲେ, ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ନୂତନ ଅନୁଦାନ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ୭ ମାସ ହେଲା ଏହି ସର୍ତ୍ତମୂଳକ ଅନୁଦାନକୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଗ୍ରହଣ ନ କରି ପ୍ରତ୍ୟାଖ୍ୟାନ କରିଛନ୍ତି। ଚାକିରି ସର୍ତ୍ତାବଳୀ ନ ଥାଇ ପିଛିଲା ଚାକିରି କାଳକୁ ବାଦ୍‌ ଦେଇ ଯେଉଁ ଅନୁଦାନ ଆଇନ ସରକାର କରିଛନ୍ତି ତାହା ପୁଣି ଏକ ବ୍ଲକଗ୍ରାଣ୍ଟର ରୂପ ନେବ। ପୂର୍ବଥର ପରି ଏଥର ମଧ୍ୟ ଶିକ୍ଷକଙ୍କୁ ଠକିବା ପାଇଁ ସରକାର ଏଭଳି ଏକ ଅନୁଦାନ ଆଇନ ତିଆରି କରିଛନ୍ତି, ତାହାକୁ ପ୍ରଣୟନ କଲେ ଆଜିଠୁ ଚାକିରି ଆରମ୍ଭ ହେଲା ବୋଲି ଧରିନେବାକୁ ହେବ। ଏହାକୁ ତୁରନ୍ତ ପ୍ରତ୍ୟାହାର କରି ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ଲାଗୁ କରାଯାଉ।

ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଉପସଭାପତି କୈଳାସ ଆଚାର୍ଯ୍ୟ ପ୍ରମୁଖ ସମାବେଶ ସ୍ଥଳରେ ପହଞ୍ଚିଥିଲେ।

ଯଦି ରାଜ୍ୟ ସରକାର ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନ ନିଅନ୍ତି ଆନ୍ଦୋଳନ କରାଯିବ ବୋଲି ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରୀ ଚରଣ ସାହୁ, ଶତାବୁଦ୍ଦିନ୍‌ ଅହମ୍ମଦ ପ୍ରମୁଖ ଚେତାବନୀ ଦେଇଛନ୍ତି।

ନିୟମିତ ହେଲେ ୨୪୩୮ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର : ୨୦୧୧ରେ ଦୁଇଟି ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ୨୪୩୮ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ଶିକ୍ଷକ ଭାବେ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ଶିକ୍ଷକ ରହିଛନ୍ତି। ୨୪୩୮ ଜଣ ଶିକ୍ଷକଙ୍କ ମଧ୍ୟରୁ ୩୬୮ ଜଣ ଗଣିତ, ୨୬୮ ଜଣ ବିଜ୍ଞାନ, ୭୦୮ ଜଣ କଳା, ୩୫୨ ଜଣ ସଂସ୍କୃତ, ୨୭୦ ଜଣ ହିନ୍ଦୀ, ୪୦୦ ଜଣ ଖେଳ, ୪୮ ଜଣ ଟିଆଇ ଓ ୨୬ ଜଣ ଟିଏମ୍‌ ରହିଛନ୍ତି। ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ପ୍ରକ୍ରିୟା ଚଳିତବର୍ଷ ଶୀଘ୍ର ହୋଇଥିବାରୁ ୨୦୧୧ର ମୁଖ୍ୟ କମିଟି ସଦସ୍ୟ ପ୍ରଦୀପ୍ତ କୁମାର ପ୍ରଧାନ, ସନ୍ତାଷ କୁମାର ସାହୁ ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌

ଭୁବନେଶ୍ୱର : କ୍ୟାଡର୍‌ ରୁଲ୍‌ ପ୍ରଚଳନରେ ସରକାରଙ୍କ କାଳକ୍ଷେପଣ ନୀତିକୁୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଶିକ୍ଷକଙ୍କ ବିଭିନ୍ନ ଦାବି ସମେତ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କ୍ୟାଡର ରୁଲ୍‌ ପ୍ରଚଳନ ନକଲେ ଶିକ୍ଷକ ଶିକ୍ଷୟିତ୍ରୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଫେଡେରେସନ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ମହାସଚିବ ଅମିୟ କୁମାର ଦାଶ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର