‘ତିତ୍‌ଲି’ ଝଡ଼‌େର ବି ରାସ୍ତାରେ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ବାନରେ ଚାଲିଥିବା ଗଣଧାରଣା ଆଜି ୫୭ ଦିନରେ ପହଞ୍ଚିଛି। ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀରେ ମିଳିତ ମଞ୍ଚ ପକ୍ଷରୁ ୩ୟ ଥର ପାଇଁ  ଶିକ୍ଷକ, ଅଧ୍ୟାପକ, କର୍ମଚାରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀଙ୍କୁ ମିଶାଇ ୭୦ ହଜାରରୁ ଅଧିକ ଲୋକଙ୍କ ସମାବେଶ ହୋଇଥିଲା। ଗତ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଭୟଙ୍କର ତିତ୍‌ଲି ସାମୁଦ୍ରିକ ଝଡ଼କୁ ଖାତିର ନକରି ଗାନ୍ଧିମାର୍ଗରେ ବସି ରହିଛନ୍ତି। ରାଜ୍ୟ ସରକାର ତାଙ୍କର ମାନସିକତା ପରିବର୍ତ୍ତନ କରି ଲିଖିତ ସୂଚନାକୁ ପ୍ରତ୍ୟାହାର କରି ସମସ୍ତଙ୍କୁ ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ, ଚାକିରି ସର୍ତାବଳୀ ସୁବିଧା ଓ ଅନୁଦାନ ପାଇ ନଥିବା ସ୍କୁଲ୍ କଲେଜକୁ ଅନୁଦାନ ପରିସରଭୁକ୍ତ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଦୃଢ଼ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଇତି ମଧ୍ୟରେ ରାଜ୍ୟ ସରକାର ଓ ମିଳିତ ମଞ୍ଚର ପ୍ରତିନିଧିଙ୍କ ମଧ୍ୟରେ ୪ ଥର ଆଲୋଚନା ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସମାଧାନର ବାଟ ନ ବାହାରିବା ସବୁଠୁ ବଡ଼ ବିଡ଼ମ୍ବନାର ବିଷୟ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ରାଜନୈତିକ ଇଚ୍ଛା ଶକ୍ତି ଏବଂ ପ୍ରଶାସନିକ ଆଗ୍ରହ ନଥାଇ ଆଲୋଚନାକୁ ଆହ୍ବାନ କରିବା ସରକାରୀ ଚକ୍ରାନ୍ତର ଆଉ ଏକ ନଗ୍ନ ଉଦାହରଣ ବୋଲି ଅଭିଯୋଗ କରାଯାଇଛି। ଗତକାଲି ଚତୁର୍ଥ ଥର ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆ ନଯିବା ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କୁ ଚକିତ କରିଛି। ୧୨ ତାରିଖରେ ଯେକୌଣସି ମୁହୂର୍ତ୍ତରେ ପୁଣି ଆଲୋଚନା ହୋଇପାରେ ବୋଲି ମିଳିତମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ, ଶତାବୁଦ୍ଦିନ୍ ଅହମ୍ମଦ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର