ଭିସୁଟରେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଆଲୋଚନା ବିଫଳ

ସମ୍ବଲପୁର : ୧୦ ଦଫା ଦାବି ସାଙ୍ଗକୁ କୁଳପତିଙ୍କ ବହିଷ୍କାର ପାଇଁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ୨୫୦ରୁ ଊର୍ଦ୍ଧ୍ବ ଶିକ୍ଷକ ୧୦ ଦିନ ହେବ ଆନ୍ଦୋଳନରେ ବସିଛନ୍ତି। ଏହାବାଦ୍‌ ଦାବି ନେଇ କୌଣସି ସମାଧାନର ସୂତ୍ର ବାହାରୁ ନଥିବାରୁ ଗୁରୁବାରଠାରୁ ସେମାନେ କାର୍ଯ୍ୟବନ୍ଦ କରିଛନ୍ତି। ସକାଳୁ ସମସ୍ତ ଶିକ୍ଷକ ଡିନ୍‌ କାର୍ଯ୍ୟାଳୟଗୁଡ଼ିକ‌ରେ ତାଲା ଝୁଲାଇବା ପରେ ଆଉ ପାଠ ପଢ଼ାଇବାକୁ ନଯାଇ ଧାରଣାସ୍ଥଳରେ ବସି ରହିଥିଲେ। ସେପଟେ, ପ୍ରକୃତ ଘଟଣାର ଅନୁସନ୍ଧାନ ତଥା ମାମଲାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ୨ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ମଧ୍ୟ ଶିକ୍ଷକ ଓ କୁଳପତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକନିକାଲ ଏଜୁକେସନର ସଚିବ ଅଜୟ ନାୟକ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ସି.ଆର.ମହାନ୍ତି ଗୁରୁବାର ସନ୍ଧ୍ୟାରେ ବିଭିନ୍ନ ପ୍ରଫେସରଙ୍କ ସହ ଆଲୋଚନା କରିବା ପରେ ଗୁରୁବାର ସକାଳୁ ଶିକ୍ଷକ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ମନ୍ଥନ ହେବା ପରେ ବି କୌଣସି ସମାଧାନର ବାଟ ବାହାରିପାରିନଥିଲା। ଫଳରେ ଆନ୍ଦୋଳନ ପୂର୍ବବତ୍‌ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ, ସମସ୍ତ ଶିକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବା ପରଠାରୁ ବିଟେକ୍‌, ଏମ୍‌ଟେକ୍‌,ଏମ୍‌ଏସି, ଏମ୍‌ଟେକ୍‌, ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମର ବିଭିନ୍ନ ସେମିଷ୍ଟାରରେ ୬୦ରୁ ଊର୍ଦ୍ଧ୍ବ କ୍ଲାସ୍‌ ବନ୍ଦ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଶିକ୍ଷକଙ୍କ କାର୍ଯ୍ୟରେ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ଅସହଯୋଗ, ମନୋମୁଖୀ ଶାସନ, ବିନା ଆଲୋଚନାରେ ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରିବା ଆଦି ଅଭିଯୋଗରେ ଗତ ୧୭ ତାରିଖରୁ ଶିକ୍ଷକ ସଂଘ ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର