ରାଉରକେଲା: ମହିଳା ଜଣକ ଏକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ। ଆଉ ଉକ୍ତ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀଭାବେ କାର୍ଯ୍ୟରତ ଯୁବକ। ଉଭୟେ ପୂର୍ବରୁ ବିବାହିତ ଓ ସେମାନଙ୍କର ପିଲାଛୁଆ ବି ଅଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଶିକ୍ଷୟିତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଛାଡ଼ି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିବାହ କରି ଘରକୁ ଧସେଇ ପସିଲେ। ଏଥିରେ ଅପମାନିତ ହୋଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରଥମ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରି ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସହରରେ ରହିଛି ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେଠାରେ ଜଣେ ବିବାହିତ ତଥା ଦୁଇ ସନ୍ତାନର ଜନକ (୩୫) ଚତୁର୍ଥ ଶ୍ରେଣୀଭାବେ କାର୍ଯ୍ୟରତ। ପ୍ରାୟ ସମାନ ବୟସର ତଥା କେନ୍ଦୁଝରରେ ବିବାହ କରିଥିବା ଜଣେ ଶିକ୍ଷୟିତ୍ରୀ ମଧ୍ୟ ଉକ୍ତ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ସେ ଏଠାରେ ନିଜ ମା’ଙ୍କ ସହ ରହୁଥିଲେ। ତେବେ କିଛି ମାସ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସମ୍ପର୍କ କ୍ରମଶଃ ଦୃଢ଼ ହେବାସହ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତିନିଦିନ ପୂର୍ବେ ଯୁବକ ଜଣକ ଶିକ୍ଷୟିତ୍ରୀଙ୍କୁ ମନ୍ଦିରରେ ଫୁଲମାଳ ଦେଇ ବିବାହ କରି ଘରକୁ ନେଇଆସିଥିଲେ। ତେବେ ଏହାକୁ ତାଙ୍କର ପ୍ରଥମ ପତ୍ନୀ ବିରୋଧ କରିଥିଲେ। ପ୍ରିୟଜନ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ଛାଡ଼ିଦେବାକୁ ବୁଝାସୁଝା କରିଥିଲେ। ମାତ୍ର ଯୁବକ ଜଣକ କୁଆଡ଼େ ନିଜ ଘରେ ଦ୍ବିତୀୟ ପତ୍ନୀକୁ ରଖିବା ଜିଦ୍‌ରେ ଅଟଳ ରହିଥିଲେ। ଏଣୁ ଅତିଷ୍ଠ ହୋଇ ପ୍ରଥମ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ବିପଦମୁକ୍ତ ଥିବା ଜଣାପଡ଼ିଛି।