ବାଉଳା ହେଉଛି ଉଚ୍ଚଶିକ୍ଷା ବିଭାଗ: ବାରମ୍ବାର ନିଷ୍ପତ୍ତି ବଦଳାଉଛନ୍ତି ବିଭାଗୀୟ ସଚିବ, ଦ୍ୱନ୍ଦ୍ୱରେ ଉଚ୍ଚଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ କର୍ମଚାରୀ

ଭୁବ‌ନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଆଜି ଗୋଟିଏ ବିଜ୍ଞପ୍ତି ପ୍ରକାଶ କରୁଛି ତ କାଲିକୁ ଆଉ ଗୋଟିଏ। କାର୍ଯ୍ୟାଳୟକୁ କେତେ ପ୍ରତିଶତ କର୍ମଚାରୀ ଆସିବେ ନେଇ ସାଧାରଣ ପ୍ରଶାସନ ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ନିଜର ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରୁଛି। ଯାହାକୁ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଅଧ୍ୟାପକ, କର୍ମଚାରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଆବଶ୍ୟକତା ନ ଥିଲେ ମଧ୍ୟ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ଜାରି କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଉଥିବା ଏବେ ନଜରକୁ ଆସିଛି। ଲକ୍‌ଡାଉନ୍‌ ସମୟରେ ବିଭାଗୀୟ ଅଧିକାରୀମାନେ ଏଭଳି ବାଉଳା ହେଉଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ କର୍ମଚାରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ମେ’ ୫ରୁ ଗ୍ରୀଷ୍ମ ଛୁଟି ହେବା ନେଇ ବିଭାଗୀୟ ସଚିବ ଶ୍ରୀ ମିଶ୍ର ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଯେଉଁଥିରେ ସ୍ପଷ୍ଟ କରିଥିଲେ ଯେ ମେ’ ୩୧ ଯାଏ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି ହେବ। ଅର୍ଥାତ୍‌ ଜୁନ୍‌ ପହିଲାରୁ ଶିକ୍ଷାନୁଷ୍ଠାନ ଖୋଲିବ। ତେବେ ଦୁଇ ଦିନ ତଳେ ହଠାତ୍‌ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ମେ’ ୩୧ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଜୁନ୍‌ ପହିଲାରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଶ୍ରୀ ମିଶ୍ର କହିଥିଲେ। ଚିଠିର କୌଣସି ଆବଶ୍ୟକତା ନ ଥିବା ବେଳେ ଏଭଳି କରି ପ୍ରଥମତଃ ଦ୍ବନ୍ଦ୍ବ ସୃଷ୍ଟି କଲେ। ଦ୍ବିତୀୟରେ ଶିକ୍ଷାନୁଷ୍ଠାନ ଖୋଲିଲେ ମଧ୍ୟ ପିଲା ଆସିବେ କି ନାହିଁ? ହଷ୍ଟେଲ ଖୋଲିବ କି ନାହିଁ? ପରୀକ୍ଷା ହେବ କି ନାହିଁ? ଆଦି ବିଷୟକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଲା। ଯେଉଁଥିପାଇଁ ଗତକାଲି ସକାଳୁ ସକାଳୁ ବିଭାଗ ଟୁଇଟ୍‌ କରି ଏହା ଉପରେ ସ୍ପଷ୍ଟୀକରଣ ଦେଲା ଯେ ‌ଅନ୍‌ଲାଇନ୍‌ କ୍ଲାସ ହେବ। ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ବନ୍ଦ ରହିବ। ୟୁଜିସିର ନିଷ୍ପତ୍ତି ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।

କେବଳ‌ ସେତିକି ନୁହେଁ। କେତେ ପ୍ରତିଶତ କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିବ ତାହାକୁ ନେଇ ବି ଦ୍ବନ୍ଦ୍ବ ରହିଛି। ୫୦% କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିବ ବୋଲି ଏପ୍ରିଲ ୧୬ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧାରଣ ପ୍ରଶାସନ ବିଭାଗ ଦୁଇ ଥର ନିଷ୍ପତ୍ତି ବଦଳାଇ ସାରିଲାଣି ଏବଂ କର୍ମଚାରୀ ସଂଖ୍ୟା ଆହୁରି କମାଇବାକୁ କହିଛି। ତେଣୁ କେଉଁ ବିଭାଗ ନିୟମ କାର୍ଯ୍ୟକାରୀ କରିବେ ତାହାକୁ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଲକ୍‌ଡାଉନକୁ ଜୁନ୍‌ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଦୂରଦୂରାନ୍ତରୁ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସୁଥିବା ଅଧ୍ୟାପକ, ପ୍ରଫେସର, କର୍ମଚାରୀ କିଭଳି ଆସିବେ ତାହା ଏକ ସମସ୍ୟା ଭାବେ ଉଭା ହୋଇଛି। କାରଣ ପରିବହନ ସେବା ବନ୍ଦ ରହିଛି। ଯେଉଁମାନେ ବି ନିଜସ୍ବ ଗାଡ଼ି କରି ଆସିବେ ସେମାନଙ୍କ ଲାଗି ବିଭାଗ ପକ୍ଷରୁ ଗତ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟ କରି ନ ଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର