ପ୍ରତାପୁର: ଅଧା ବର୍ଷ ସରିଗଲା, ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବେଶ୍ ପଛରେ ପଡ଼ିଛି। ବର୍ଷ ସରିବାକୁ ବସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଗୋଟିଏ କିମ୍ବା ଦୁଇଟି ବିଷୟ ମାତ୍ର ପଢ଼ାଯାଇଛି। ଅନେକ ଶ୍ରେଣୀରେ ଏକାଧିକ ପାଠବହି ଏଯାଏ ପୃଷ୍ଠା ଖୋଲା ଯାଇ ନଥିବା ଜଣାପଡ଼ିଛି। ଅଧିକ ଗୁରୁତ୍ବ ରଖୁଥିବା ଗଣିତ, ବିଜ୍ଞାନ, ଇଂରାଜୀ ଓ ସାହିତ୍ୟ ଭଳି ବିଷୟ ବହୁତ ପଛରେ ପଡ଼ିଛି। ଆଉ ମାସ କେଇଟା ପରେ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବେ। ହେଲେ ପରୀକ୍ଷାରେ କ'ଣ ଲେଖିବେ ସେ ଚିନ୍ତାରେ ପଡ଼ିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ।
ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତ ବଡ଼ଖଣ୍ଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଶିକ୍ଷକମାନେ ନିଜ ଇଚ୍ଛାରେ ବିଦ୍ୟାଳୟକୁ ଆସୁଛନ୍ତି ଓ ପଳାଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଶିକ୍ଷକମାନେ କେବଳ ‘କା’ ତଥା ଉପସ୍ଥାନ ପକାଇବାକୁ ବିଦ୍ୟାଳୟକୁ ଆସୁଥିବା ଗ୍ରାମବାସୀ ଏବଂ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଆନ୍ଦୋଳନ ପାଇଁ ବିଦ୍ୟାଳୟର ମୋଟ ୪ ଜଣ ଶିକ୍ଷକଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ବର ପଳାଇଥିବା ବେଳେ ଜଣେ ମାତ୍ର ଶିକ୍ଷକଙ୍କ ପକ୍ଷେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବା କଷ୍ଟକର ହୋଇପଡ଼ିଛି। ବିଦ୍ୟାଳୟ କେବଳ ଖୋଲୁଛି, ହେଲେ ପାଠ ପଢ଼ା ହେଉନି।
ଆଜି ସହକାରୀ ଶିକ୍ଷକ ବାଳକୃଷ୍ଣ ସେଠୀ ସକାଳ ୧୧ଟା ୧୫ରେ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ଛାତ୍ରଛାତ୍ରୀ ସାଢ଼େ ୯ଟାରୁ ନିର୍ଦ୍ଧାରିତ ସମୟରେ ସ୍କୁଲରେ ପହଞ୍ଚି ଯାଇଥିଲେ। କିନ୍ତୁ ପିଲାମାନଙ୍କ କୋଳାହଳ ସମ୍ଭାଳିବାକୁ କେହି ବି ନଥିଲେ। ଅଭିଭାବକମାନେ ଏହା ଜାଣି ଶ୍ରୀ ସେଠୀଙ୍କୁ ପଚାରିବାରୁ ସେ ଗାଡ଼ି ଖରାପ ଥିବା ସଫେଇ ଦେଇଥିଲେ। ତେବେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ପ୍ରଧାନଶିକ୍ଷକଙ୍କୁ ଛାଡ଼ିଦେଲେ ଅନ୍ୟ ଶିକ୍ଷକମାନେ ପ୍ରତିଦିନ ମଧ୍ୟାହ୍ନ ୧୨ ଟାରେ ବିଦ୍ୟାଳୟରେ ପହଞ୍ଚୁଛନ୍ତି। ଅପରାହ୍ଣ ୨ଟା ପରେ ଘରକୁ ପଳାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପୂର୍ବରୁ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/fabab562-c761-4b2f-89a7-68dec2df85fb.jpg)