୧୬ରୁ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ : ସ୍କୁଲ, କଲେଜକୁ ନ ଫେରିବାକୁ ମିଳିତ ମଞ୍ଚର ଚେତାବନୀ

୧୬ରେ ଉତ୍କଳ ଶିକ୍ଷକ ମହାସଂଘ ପାଳିବ ଦାବି ଦିବସ

ଭୁବନେଶ୍ୱର : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ରାଜ୍ୟର ୪ଟି ଜୋନ୍‌ରେ ସମ୍ମିଳନୀ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ଆଇନ ଲାଗୁ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ସବୁ କାର୍ଯ୍ୟରେ ସରକାରଙ୍କୁ ଅସହଯୋଗ କରିବାକୁ ଶପଥ ନିଆଯାଇଛି। ଅଗଷ୍ଟ ୧୬ ତାରିଖରେ ରାଜ୍ୟର ଏକ ଲକ୍ଷରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ଭୁବନେଶ୍ୱରରେ ‘କର ବା ମର’ ଆନ୍ଦୋଳନକୁ ଓହ୍ଲାଇବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସ୍କୁଲ, କଲେଜକୁ ଫେରିବେନି ବୋଲି ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର କୁତ୍ସିତ ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ନୂତନ ଅନୁଦାନ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ୭ ମାସ ହେଲା ଏହି ସର୍ତ୍ତମୂଳକ ଅନୁଦାନକୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଚାକିରି ସର୍ତ୍ତାବଳୀ ନ ଥାଇ ପିଛିଲା ଚାକିରି କାଳକୁ ବାଦ୍‌ ଦେଇ ଯେଉଁ ଅନୁଦାନ ଆଇନ ସରକାର କରିଛନ୍ତି ତାହା ପୁଣି ଏକ ବ୍ଲକଗ୍ରାଣ୍ଟର ରୂପ ନେବ। ପୂର୍ବଥର ପରି ଏଥର ମଧ୍ୟ ଶିକ୍ଷକଙ୍କୁ ଠକିବା ପାଇଁ ସରକାର ଏଭଳି ଏକ ଅନୁଦାନ ଆଇନ ତିଆରି କରିଛନ୍ତି। ତାହାକୁ ପ୍ରଣୟନ କଲେ ଆଜିଠୁ ଚାକିରି ଆରମ୍ଭ ହେଲା ବୋଲି ଧରି ନେବାକୁ ହେବ। ଏହାକୁ ତୁରନ୍ତ ପ୍ରତ୍ୟାହାର କରି ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ଲାଗୁ କରାଯାଉ। ଏଥିସହ ଅନୁଦାନଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ, ବିଗତ ଦିନରେ ସପ୍ତମ ବେତନ କମିଶନ ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ, ବକେୟା ଦରମା ପ୍ରଦାନ ଓ ଅନ୍ୟ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅଗଷ୍ଟ ୧୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟା ସମାଧାନ କରନ୍ତୁ ବୋଲି ମିଳିତ ମଞ୍ଚ ପକ୍ଷରୁ ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ଡ. ଅଟଳ ବିହାରୀ ବଳ ପ୍ରମୁଖ କହିଛନ୍ତି।

୧୬ରେ ଉତ୍କଳ ଶିକ୍ଷକ ମହାସଂଘ ପାଳିବ ଦାବି ଦିବସ

ଭୁବନେଶ୍ୱର : ଅଗଷ୍ଟ ୧୬ ତାରିଖକୁ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଦାବି ଦିବସ ଭାବେ ପାଳନ କରାଯିବ। ଏହି ଦିନ ରାଜଭବନ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବା ସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ଯୋଗ୍ୟ ବିବେଚିତ ଶିକ୍ଷକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ବ୍ଲକଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତ ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ବେସରକାରୀ କଲେଜରେ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ନିଯୁକ୍ତି, ଲାଇବ୍ରେରିଆନ, ଡେମୋନଷ୍ଟ୍ରେଟର, କ୍ରୀଡ଼ା ଶିକ୍ଷକ ଓ କର୍ମଚାରୀଙ୍କୁ ଆର୍‌ଏସିପି ପ୍ରଦାନ, ପରିଚାଳନା ସମିତିରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା, ଲାଇବ୍ରେରିଆନ୍‌, ଡେମୋନଷ୍ଟ୍ରେଟର ଓ କ୍ରୀଡ଼ା ଶିକ୍ଷକଙ୍କୁ ୟୁଜିସି ଦରମା ପ୍ରଦାନ ପରି ବିଭିନ୍ନ ବିଷୟକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯିବ। ଶିକ୍ଷକ ଓ କର୍ମଚାରୀ ଏଥିରେ ଯୋଗଦେବାକୁ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ ଓ ସଭାପତି ଦାଶରଥି ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର