୨୮ ଦିନ ପରେ ଶିକ୍ଷକ-ସରକାରଙ୍କ ପ୍ରଥମ ବୈଠକ : ବାଟ ବାହାରିଲାନି

ସରକାର ମାଗିଲେ ୩ ମାସ, ଶିକ୍ଷକ କହିଲେ ୭ ଦିନ, ଆନ୍ଦୋଳନ ଜାରି ରଖିବାକୁ ମିଳିତ ମଞ୍ଚର ଘୋଷଣା

ଭୁବନେଶ୍ୱର : ୨୮ ଦିନ ପରେ ବୈଠକ ବସିଲା। ଦେଢ଼ ଘଣ୍ଟା ଧରି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେଲା। କଥା କଟାକଟି ବି ଚାଲିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଦୋଷ ଦୁର୍ବଳତା ପ୍ରକାଶ କଲେ। କିଏ ପ୍ରତିଶ୍ରୁତି ପାଳନ କରିନି ତାହାକୁ ନେଇ ଗୋଇ ତଡ଼ାତଡ଼ି ହେଲେ। ତଥାପି ସମାଧାନର ବାଟ ବାହାରିଲାନି। ସମସ୍ତେ ନିଜ ନିଜ ଜିଦିରେ ଅଟଳ ରହିଲେ।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ବୈଠକରେ ଯୋଗଦେଇଥିବା ପ୍ରତିନିଧି ଦଳ ଦାବି ପୂରଣ ପାଇଁ ୩ ମାସ ସମୟ ମାଗିଥିଲେ। କିନ୍ତୁ ମିଳିତ ମଞ୍ଚ ମାତ୍ର ୭ ଦିନ ସମୟ ଦେବାକୁ ରାଜି ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଚାଲିଲା। ଆଉ ଶେଷରେ ଫଳ ଶୂନ। ଗୋଟିଏ ପଟେ ସରକାର-ଶିକ୍ଷକଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଅନ୍ୟପଟେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମୁଣ୍ଡ ଘୁରାଇଲାଣି। ୧୭ ତାରିଖରୁ ଦଶମ ଶ୍ରେଣୀ ପ୍ରି-ଟେଷ୍ଟ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି ଯେ ଆଲୋଚନା କେବଳ ଧର୍ମକୁ ଆଖିଠାର ସଦୃଶ ଥିଲା। ସମସ୍ୟା ସମାଧାନ ଦିଗରେ ସରକାରଙ୍କର ସାମାନ୍ୟତମ ଆନ୍ତରିକତା ନଥିଲା। ବରଂ ଶିକ୍ଷକଙ୍କୁ ପୁଣିଥରେ ପ୍ରତାରିତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା। କିନ୍ତୁ ଶିକ୍ଷକମାନେ ସେଥିରେ ଫସି ନଥିଲେ। ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହିତ ପୁର୍ଣ୍ଣ ଅନୁଦାନ ଓ ଯୋଗ୍ୟ ବିବେଚିତ ସ୍କୁଲ କଲେଜକୁ ଅନୁଦାନ ନ ଦେବା ଯାଏ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନାହିଁ। ଆବଶ୍ୟକ ହେଲେ ସମୂହ ଇସ୍ତଫା ଦିଆଯିବ। ୪ହଜାର ବିଦ୍ୟାଳୟ ଓ ଦେଢ଼ ହଜାର କଲେଜ କେମିତି ଚାଲିବ ସରକାର ବୁଝିବେ। ଏହିସବୁ ସ୍କୁଲ କଲେଜରେ ପାଠ ପଢୁଥିବା ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସରକାରଙ୍କ ହାତରେ, ଚାହିଁଲେ ସମାଧାନ କରିବେ ନଚେତ ଆଗାମୀ ଦିନରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ। ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଦାବି ପୂରଣ କରିବା ପରିବର୍ତ୍ତେ ଅନୁଧ୍ୟାନ କରିବା ପାଇଁ ତିନି ମାସ ସମୟ ମାଗିଥିଲେ। ପୂର୍ବରୁ ୬ ମାସ ସମୟ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ତେଣୁ ସରକାରଙ୍କୁ ୩ ମାସ ସମୟ ଦେଇ ପୁଣିଥରେ ପ୍ରତାରିତ ହେବା ପାଇଁ ମିଳିତ ମଞ୍ଚ ଚାହିଁଲା ନାହିଁ। ରାଜ୍ୟ ସରକାର ଚାହିଁଲେ ୩ ମିନିଟ୍‌ରେ ସମସ୍ୟାର ସମାଧାନ ହୋଇଯିବ। ଯଦି ସରକାର ପ୍ରକୃତରେ ସମସ୍ୟାର ସମାଧାନ ଚାହୁଁଛନ୍ତି ତେବେ ୭ ଦିନ ଭିତରେ କରନ୍ତୁ। ତା’ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି କୁହାଯାଇଛି।

ବୈଠକ ପରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ ବିଦ୍ୟାଳୟ ଓ ଗଶଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ ଶିକ୍ଷକଙ୍କ ଦାବି ଉପରେ ଆଲୋଚନା କରାଯାଇଛି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରାଯିବ। ଏଥିରେ ଶିକ୍ଷକମାନଙ୍କର ୩ରୁ ୪ ଜଣ ପ୍ର୍ରତିନିଧି ମଧ୍ୟ ରହିବେ। ୩ ମାସ ମଧ୍ୟରେ କମିଟିର ରିପୋର୍ଟ ଆଧାରରେ ଦାବି ପୂରଣ କରାଯିବ। ତେଣୁ ଶିକ୍ଷକମାନେ ଆନ୍ଦୋଳନରୁ ବିରତ ରହି ଶିକ୍ଷାଦାନରେ ସାମିଲ ହୁଅନ୍ତୁ।

ପ୍ରାଥମିକ ଶିକ୍ଷକ-ସରକାରଙ୍କ ଆଲୋଚନା ବିଫଳ

ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସହ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି ଆଲୋଚନା କରିଛି। ଏକ ଘଣ୍ଟା ଧରି ଚାଲିଥିବା ଆଲୋଚନା ବିଫଳ ହୋଇଛି। ତେଣୁ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହହାଯାଇଛି।

ମହାସଂଘର ଆନ୍ଦୋଳନ ୮ମ ଦିନରେ ପହଞ୍ଚିଥିବା ବେଳେ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିଲା। ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ପ୍ରତିନିଧି ଦଳ ମହାସଂଘର ୮ ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ଓପେପା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ମହାସଂଘର ୬ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। କିନ୍ତୁ ବିଜ୍ଞପ୍ତି ପ୍ରକାଶ ଓ ବିଭିନ୍ନ ଦିଗ ଉପରେ କୌଣସି ସ୍ପଷ୍ଟ ମତ ନ ମିଳିବାରୁ ମହାସଂଘର ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେଣୁ ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘର ଆବାହକ ବଙ୍କିମ ଚନ୍ଦ୍ର ସାଗର କହିଛନ୍ତି। ଏହି ପ୍ରତିନିଧି ଦଳରେ ମଳୟ କୁମାର ଜେନା, ସୁଶାନ୍ତ ବେହେରା, ଜାମିନୀକାନ୍ତ ପଣ୍ଡା, ଜ୍ଞାନରଞ୍ଜନ ମହାନ୍ତି, ଜ୍ୟୋତି ଦାସ, ମାଳବିକା ଦାସ, ଶ୍ରୀକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର