୧୬ରେ ରାସ୍ତାକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ ଓ କର୍ମଚାରୀ

ଭୁବନେଶ୍ବର : ଅଗଷ୍ଟ ୧୬ ତଥା ଶିକ୍ଷକ ଦାବି ଦିବସରେ ରାଜରାସ୍ତାକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ ଓ କର୍ମଚାରୀ। ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଶିକ୍ଷକମାନେ ଉକ୍ତ ଦିନ ମଧ୍ୟାହ୍ନ ୧୨ଟାରେ ‌ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନରୁ ଶୋଭାଯାତ୍ରାରେ ପିଏମ୍‌ଜି ଅଭିମୁଖେ ବାହାରିବେ। ଲୋୟର ପିଏମ୍‌ଜି‌ରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇ ଦାବି ପୂରଣ ପାଇଁ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେମାନେ କହିଛନ୍ତି ‌ଯେ ରାଜ୍ୟ ସରକାର ଓଡ଼ିଶାରୁ ବ୍ଲକଗ୍ରାଣ୍ଟ ପରି ଏକ କୁତ୍ସିତ ପ୍ରଥା ହଟାଇଥିଲେ ମଧ୍ୟ କୌଣସି ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ଘୋଷଣା କରିନାହାନ୍ତି। ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଡିଣ୍ଡିମ ପିଟୁଥିଲେ ମଧ୍ୟ ଏହି ବର୍ଗର କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। ଓଡ଼ିଶାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ ହୋଇସାରିଛି। ତେବେ ଏ ବର୍ଗର କର୍ମଚାରୀମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ସରକାର ଘୋଷଣା କଲେ ନାହିଁ। ନିର୍ବାଚନ ପୂର୍ବବର୍ତ୍ତୀ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭୁଲି ନିରବରେ ବସିଛନ୍ତି। ପରିତାପର ବିଷୟ ହେଉଛି ଯେ ଅସଙ୍ଗତି ଯୋଗୁଁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜ କର୍ମଚାରୀମାନଙ୍କୁ ଦୀର୍ଘ ୩୦ ବର୍ଷ ପରେ ବି ଅନୁଦାନ ପରିସରଭୁକ୍ତ ନ କରି ସେମାନଙ୍କ ପରିବାରକୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି। ଏହି ବର୍ଗର କର୍ମଚାରୀଙ୍କ ଅବସର ବୟସସୀମା ୬୨ ବର୍ଷ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ବୃଦ୍ଧି କରାଯାଇ ନାହିଁ। ଉକ୍ତ ଦାବିଗୁଡ଼ିକ ବିଷୟରେ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି। ତେଣୁ ଶିକ୍ଷକମାନେ ଦାବି ଦିବସରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ ହେବାକୁ ସଂଘର ଆବାହକଙ୍କ ସମେତ ସଭାପତି ପ୍ରକାଶ ଚନ୍ଦ୍ର ଜେନା, ଗଗନ ବେଉରା, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ୍‌ ଅହମ୍ମଦ, ଆଦିତ୍ୟ ପ୍ରସାଦ ରଥ, ବିନୋଦ ବିହାରୀ ପାଣିଗ୍ରାହୀ ପ୍ରମୁଖ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର