ଶିକ୍ଷୟିତ୍ରୀ ପିନ୍ଧିବେ ସମ୍ବଲପୁରୀ ଶାଢ଼ି! : ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ହେବ ଗୋଟିଏ ଡ୍ରେସ୍‌କୋଡ

+୨ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ବି ଲାଗୁ ହୋଇପାରେ, ସ୍କୁଲ ଭିତ୍ତିଭୂମି ନେଇ ସରପଞ୍ଚଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ଦୁଇ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। ‌ପ୍ରା‌ଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଗୋଟିଏ କ୍ୟାମ୍ପସକୁ ଅଣାଯାଉଥିବାରୁ ଡ୍ରେସ୍‌କୋଡ ପରିବର୍ତନ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୂଡ଼ାନ୍ତ ମୋହର ବାଜିବା ପରେ ଯାଇ ଡ୍ରେସ୍‌କୋଡ ଲାଗୁ ହେବ ବୋଲି ଜଣାପଡ଼ିଛି।

୨୦୧୦ ମସିହାରେ ପ୍ରଥମ ଥର ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ ହୋଇଥିଲା। ଇତି ମଧ୍ୟରେ ୧୦ ବର୍ଷ ବିତିବାକୁ ବସିଲାଣି। ତେଣୁ ଡ୍ରେସ୍‌କୋଡରେ ବି ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ତେବେ ଶିକ୍ଷକଙ୍କ ପାଇଁ କେଉଁ ପ୍ରକାରର ଡ୍ରେସ୍‌ ଓ ଶିକ୍ଷୟିତ୍ରୀମାନେ କେଉଁ ପ୍ରକାର ଶାଢ଼ି ପିନ୍ଧିବେ ସେନେଇ କିଛି ସ୍ଥିର ହୋଇନି। ତଥାପି ଶିକ୍ଷୟିତ୍ରୀଙ୍କ ପାଇଁ ସମ୍ବଲପୁରୀ ଶାଢ଼ି କରିବାକୁ ଆଲୋଚନା ଚାଲିଛି। ଶିକ୍ଷକଙ୍କ ଡ୍ରେସ୍‌ରେ ସେତେଟା ପରିବର୍ତନ ହେବନି। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ କ୍ୟାମ୍ପସରେ ରହୁଥିବାରୁ ସେମାନଙ୍କର ଏକା ପ୍ରକାର ଡ୍ରେସ୍‌କୋଡ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ ଆଲୋଚନା ସରିଛି। ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି। ଏବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ପ୍ରକାର ଡ୍ରେସ୍‌କୋଡ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ପାଇଁ ଅଲଗା ପ୍ରକାର ରହିଛି। ଏହାଦ୍ବାରା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି। ତାହାକୁ ଦୂର କରିବା ସହ ସବୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ ଗୋଟିଏ ପ୍ରକାର କରିବାକୁ ସ୍ଥିର ହୋଇଛି। ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଅଧ୍ୟାପକ ଓ ଅଧ୍ୟାପିକାଙ୍କର କୌଣସି ଡ୍ରେସ୍‌କୋଡ କରାଯାଇ ନାହିଁ। ଗତବର୍ଷଠାରୁ ଯୁକ୍ତ୨ କଲେଜ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାରୁ ସେମାନଙ୍କ କ୍ଷେତ୍ରରେ ବି ଡ୍ରେସ୍‌କୋଡ ଲାଗୁ କରାଯିବ। ବିଭାଗ ଅଧୀନରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ରହିଛି। ତେବେ ପ୍ରଥମରୁ ଦଶମ ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଗୋଟିଏ ପ୍ରକାର ଡ୍ରେସ୍‌ ହେବ। ଯୁକ୍ତ୨ କଲେଜ ପାଇଁ ଅଲଗା ହୋଇପାରେ। ଏନେଇ ଆଲୋଚନା ଜାରି ରହିଛି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ସହ ଜନପ୍ରତିନିଧିମାନଙ୍କୁ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟର ସମସ୍ତ ସରପଞ୍ଚଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ଗୁଣାତ୍ମକ ଶିକ୍ଷା‌ର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ। ଏଥିପାଇଁ ଜନସାଧାରଣ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କର ସହଭାଗିତା ଓ ସହଯୋଗ ଆବଶ୍ୟକ। ଶିକ୍ଷାର ମାନ ବୃଦ୍ଧି, ବିଦ୍ୟାଳୟ ଶିକ୍ଷାରେ ସାମାଜିକ ଓ ଲିଙ୍ଗଗତ ପ୍ରଭେଦ ଦୂର, କୌଣସି ବାଛବିଚାର ନ ରଖି ସମାନ ଭାବେ ବିଦ୍ୟାଳୟ ଶିକ୍ଷାର ସୁଯୋଗ ଦେବାର ବ୍ୟବସ୍ଥା ଓ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବର୍ଷକୁ ୪ ଥର ଅଭିଭାବକ-ଶିକ୍ଷକ ଅଧିବେଶନ ଅନୁଷ୍ଠିତ ହେବ। ଏପ୍ରିଲ ମାସର ଦ୍ବିତୀୟ ସପ୍ତାହ, ଜୁଲାଇ ମାସର ପ୍ରଥମ, ନଭେମ୍ବର ମାସର ପ୍ରଥମ ଓ ଜାନୁଆରି ମାସର ଶେଷ ସପ୍ତାହରେ ଅଧିବେଶନ କରିବାକୁ ସ୍ଥିର ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକ‌ରେ ଭିତ୍ତିଭୂମି ବିକାଶ, ଶୌଚାଳୟ ନିର୍ମାଣ, ପାନୀୟ ଜଳ ଯୋଗାଣ, ମଧ୍ୟାହ୍ନଭୋଜନ ବିତରଣ ବ୍ୟବସ୍ଥାକୁ ତୃଣମୂଳସ୍ତରରେ ସଫଳ ରୂପାୟନ କରିବା ପାଇଁ ଜନପ୍ରତିନିଧିମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ବାଞ୍ଛନୀୟ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ଅନୁଯାୟୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ମରାମତି ଓ ପରିଚାଳନାର ସଠିକ୍‌ ଆକଳନ କରାଯାଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯିବାର ବିଧି ବ୍ୟବସ୍ଥା ରହିଛି। ତେଣୁ ଜନପ୍ରତିନିଧିମାନଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର