ଜିଲ୍ଲାପାଳଙ୍କୁ ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ଶାଶୂ ଘରୁ ଉଦ୍ଧାର ହେଲେ ସ୍କୁଲ୍ ଛାତ୍ରୀ, ଇଚ୍ଛା ବିରୋଧରେ କରାଯାଇଥିଲା ବିବାହ

ଭୁବନେଶ୍ୱର : ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚର୍ଚ୍ଚା ରହିଛି। ଶିକ୍ଷାଦାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମର୍ପଣ ଭାବକୁ ନେଇ ମଧ୍ୟ ଅଙ୍ଗୁଳି ଉଠିଛି। ହେଲେ ଜଣେ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ପ୍ରତି ସମର୍ପଣ ଭାବ ଯୋଗୁଁ ନିଜ ଇଚ୍ଛା ବିରୋଧରେ ବିବାହ କରିଥିବା ଜଣେ ଛାତ୍ରୀ ଶାଶୂଘରୁ ଉଦ୍ଧାର ପାଇଛନ୍ତି।

ପୁରୀ ଜିଲ୍ଲା ପିପିଲି ବ୍ଲକ ଅଧୀନରେ ଥିବା ଏକ ସ୍କୁଲର ଜଣେ ଛାତ୍ରୀ ଦୀର୍ଘ ଦୁଇ ମାସ ହେବ ସ୍କୁଲରେ ଅନୁପସ୍ଥିତ ଥିଲେ। ଛାତ୍ରୀ ଜଣକ ଭଲ ପଢ଼ୁଥିଲେ ଏବଂ ପାଠ ପଢ଼ିବାର ଆଗ୍ରହ ମଧ୍ୟ ଥିଲା। ଏଣୁ ଶିକ୍ଷୟିତ୍ରୀ ସୁନୀତା ନାୟକ ଚିନ୍ତାରେ ପଡ଼ିଥିଲେ। ଏ ନେଇ ସେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ଦେବୀଙ୍କୁ ଅବଗତ କରିଥିଲେ। କିଛି ସମୟର ବିଚାର ବିମର୍ଶ ପରେ ଛାତ୍ରୀଙ୍କୁ ଖୋଜିବାକୁ ନିଷ୍ପତ୍ତି ହୋଇଥିଲା। ସୁନୀତା ନିଜ ଉଦ୍ୟମରେ ଛାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଛାତ୍ରୀଙ୍କ ଘର ଗଞ୍ଜାମରେ ହୋଇଥି‌ଲେ ବି ସେ ଏଠାରେ ଭଡ଼ାଘରେ ରହି ପାଠ ପଢ଼ୁଥିଲେ। ବାପା ଇଟାଭାଟିରେ କାମ କରୁଥିଲେ। ଖୋଜି ଖୋଜି ଶିକ୍ଷୟିତ୍ରୀ ତାଙ୍କ ଭଡ଼ା ଘରେ ପହଞ୍ଚିଥିଲେ। ହେଲେ ସେଠାରୁ ସେ ଘର ଛାଡ଼ି ଦେଇଥିବା ଜାଣିବାକୁ ପାଇଥିଲେ। ଏଣୁ ସବୁ ବାଟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା‌।

ହେଲେ ହଠାତ୍‌ ଦିନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରୀଙ୍କ ବାପା ଦେଖା ହୋଇଗଲେ। କିନ୍ତୁ ସେ ସତକଥା କଥା ନ କହି ‘ଝିଅ ସ୍କୁଲ ଆସିବ’ କହି ଚାଲି ଯାଇଥିଲେ। ଏଥିରେ ସନ୍ଦେହ ହେବାରୁ ସେ କାମ କରୁଥିବା ଇଟାଭାଟିରେ ଶିକ୍ଷୟିତ୍ରୀ ସୁନୀତା ପହଞ୍ଚିଥିଲେ। ସେଠାରେ ବାପାଙ୍କ ସହ ଦୀର୍ଘ ସମୟର ଆଲୋଚନା ପରେ ଜଣାପଡ଼ିଥିଲା ଛାତ୍ରୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଜଣେ ସମ୍ପର୍କୀୟଙ୍କ ସହ ବିବାହ କରି ଦିଆଯାଇଛି। ଏହା ଶୁଣି ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଘୂରାଇ ଯାଇଥିଲା। ସେ ତତ୍‌କ୍ଷଣାତ୍‌ ଗଞ୍ଜାମ ଜିଲ୍ଲାପାଳଙ୍କୁ ଟ୍ବିଟ୍‌ ଜରିଆରେ ଏ ବିଷୟରେ ଅବଗତ କରାଇଥିଲେ।

ଜିଲ୍ଲାପାଳ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ନେଇ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏବେ ସମ୍ପୃକ୍ତ ଛାତ୍ରୀ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଅନେକ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିନା କାରଣରେ ଅନୁପସ୍ଥିତ ରହୁଥିଲେ ମଧ୍ୟ ସେମାନଙ୍କୁ ଠାବ କରାଯାଉ ନାହିଁ। ଶିକ୍ଷୟିତ୍ରୀଙ୍କ ଏଭଳି ଉଦ୍ୟମ ଏବେ ଅନେକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି।

ସମ୍ବନ୍ଧିତ ଖବର