ଶିକ୍ଷକଙ୍କ ପଦୋନ୍ନତି ତାଲିକାରେ ଜାଲିଆତି କରିଥିବା ପୂର୍ବତନ ବିଇଓଙ୍କ ବିରୋଧରେ ତଦନ୍ତ ପାଇଁ ଶିକ୍ଷକ ସଂଘର ଦାବି

ଅକ୍ଟୋବର ୨ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ନିଷ୍ପତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ବିଭିନ୍ନ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ତାଲିକାରେ ଜାଲିଆତି କରିଥିବା ପୂର୍ବତନ ବିଇଓ ବୈଦ୍ୟନାଥ ସାହୁଙ୍କ ବିରୋଧରେ ବିଧିବଦ୍ଧ ତଦନ୍ତ କରିବାକୁ ଆଜି ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରାଯାଇଛି ।

ଗତକାଲି ସ୍ଥାନୀୟ ପଲ୍ଲାଠାରେ ଥିବା ଶିକ୍ଷକ ସଂଘର କାର୍ଯ୍ୟାଳୟରେ ବ୍ଲକ ସଭାପତି ଯୁଧିଷ୍ଠିର ସାହୁଙ୍କ ଅଧ୍ୟକ୍ଷତାରେ ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୯-୨୦ ଶିକ୍ଷାବର୍ଷରେ ପଦୋନ୍ନତି ତାଲିକାରେ ଜାଲିଆତି ହୋଇଥିବା ଓ ଏଥିରେ କେତେକ ବରିଷ୍ଠ ଶିକ୍ଷକଙ୍କୁ ନ୍ୟାୟ ଅଧିକାର ମିଳିନଥିବା ନେଇ ଆଲୋଚନା ହୋଇଥିଲା । ସଭାପତି ଶ୍ରୀ ସାହୁ କହିଛନ୍ତି ଯେ, ତାଲିକାରେ ଚଞ୍ଚକତା କରିଥିବା ପୂର୍ବତନ ବିଇଓ ବୈଦ୍ୟନାଥ ସାହୁଙ୍କ ବିରୋଧରେ ତଦନ୍ତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପୂର୍ବରୁ ଲିଖିତ ଭାବେ ଜଣାଯାଇଥିଲା । ତେବେ ଏହା ମଧ୍ୟରେ ୧ ମାସ ବିତିଯାଇଛି, କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଲିଖିତ ଭାବେ ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଶିକ୍ଷା ନିଦେ୍ର୍ଦଶାଳୟକୁ ନିଦେ୍ର୍ଦଶ ଦିଆଯାଇଛି ।

ସଂଘର କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ୧ ଅକ୍ଟୋବର ସୁଦ୍ଧା ପଦୋନ୍ନତି ସମ୍ପର୍କରେ ତଦନ୍ତ ଓ ନ୍ୟାଯ୍ୟ ଅଧିକାରରୁ ବଂଚିତ ହୋଇଥିବା ଶିକ୍ଷକଙ୍କୁ ନ୍ୟାୟ ନମିଳିଲେ ୨ ଅକ୍ଟୋବରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ଓ ଏନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ସମ୍ପାଦକ ଅମୀୟ କୁମାର ପରିଡ଼ା, ଉପସଭାପତି ସୁକାନ୍ତି ଦେବୀ, ସହ-ସମ୍ପାଦକ ଦିବ୍ୟସିଂହ ସୁବୁଦ୍ଧି, ଉପଦେଷ୍ଟା ମନୋଜ ଦାସ, ଜୟକୃଷ୍ଣ ପାଲଟାସିଂହ, ରଶ୍ମି ଦାସ, କୋଷାଧ୍ୟକ୍ଷ ସରୋଜିନୀ ସାହୁ, ସଂଯୋଜକ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର