ଭୁବନେଶ୍ୱର: ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ଟିଜିଟି ଓ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପର୍ବ ବାଣ୍ଟିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।

Advertisment

ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିବାରର ସ୍ୱତନ୍ତ୍ର ଅବଦାନ ରହିଛି। ସେଥିପାଇଁ ସେ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି। ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ। ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିସନ।

ଶିକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ଟି ଉପକ୍ରମରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ଏହା ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ଏହା ଦ୍ୱାରା ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ରୂପାନ୍ତର ଆସିଛି। ଏଥିପାଇଁ ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଶିକ୍ଷା ପରିବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବର୍ଷକୁ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଆଜି ରାଜ୍ୟରେ ଆମ ମୁଖ୍ୟମନ୍ତ୍ରୀଙ୍କ ୫ଟି ରୂପାନ୍ତରଣର ପର୍ବ ଜାରି ରହିଛି। ସବୁ କ୍ଷେତ୍ରରେ ରୂପାନ୍ତରଣକରି ଏକ ସଶକ୍ତ ଓଡ଼ିଶା ଗଠନ କରିବା ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ସ୍ୱପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାପାଇଁ ସେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଅଶ୍ୱଥି. ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।