ଡିଜିଟାଲ ଟେକ୍ନୋଲୋଜି‌ରେ ଦକ୍ଷ ହେବେ ଶିକ୍ଷକ, ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୫୦ ହାଇସ୍କୁଲ ସାମିଲ

ଭୁବନେଶ୍ୱର : ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଆରମ୍ଭ ହୋଇଥିବା ‘୫-ଟି’ ହାଇସ୍କୁଲ୍‌ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ଅଧୀନରେ ଆଜିଠାରୁ ଶିକ୍ଷକ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଡିଜିଟାଲ ତଥା ସ୍ମାର୍ଟବୋର୍ଡ ମାଧ୍ୟମରେ କିଭଳି ଶିକ୍ଷାଦାନ କରିହେବ ସେନେଇ ଅବଗତ କରାଯାଇଥିଲା।

ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେବା ଉଚିତ। ଏଥିରେ ସ୍ମାର୍ଟ କ୍ଲାସ୍‌ ‘ବ୍ଲେଣ୍ଡେଡ୍‌ ଲର୍ଣ୍ଣିଂ’ ପ୍ରୟୋଗର ଆବଶ୍ୟକତା ରହିଛି। ‘୫-‘ଟି’ ହାଇସ୍କୁଲ୍‌ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟର ପାସ୍‌ହାର ଯେପରି ଶତ ପ୍ରତିଶତ ରହିବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ‘ଏ-୧’ ଗ୍ରେଡ୍‌ରେ କୃତକାର୍ଯ୍ୟ ହେବେ ତାହା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଶିକ୍ଷକଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ କରିବା ଆମର ଲକ୍ଷ୍ୟ। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପାଠ୍ୟଖସଡ଼ା ଅନୁଯାୟୀ ସ୍ମାର୍ଟବୋର୍ଡରେ ପଢ଼ାଇବାକୁ ସେ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ନିରନ୍ତର ପାଠ୍ୟକ୍ରମ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଉପଲବ୍ଧ ବିଷୟବସ୍ତୁଗୁଡ଼ିକ ପର୍ଯ୍ୟାୟକ୍ରମେ ବ୍ୟବହାର କରାଯିବ। ଶିକ୍ଷକମାନେ ନିଜେ ଯେପରି ବିଷୟବସ୍ତୁ ପ୍ରସ୍ତୁତ କରିପାରିବେ ସେଥିପାଇଁ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଅନୁପମ ସାହା ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର