ଶିକ୍ଷକଙ୍କୁ ମିଳିବ ପୁରସ୍କାର

ପୁରାତନ ଛାତ୍ରଛାତ୍ରୀଙ୍କ ଡାଟାବେସ୍ ପ୍ରସ୍ତୁତ ହେବ, ଗଠନ ହେବ କମିଟି, ଆୟୋଜିତ ହେବ କାର୍ଯ୍ୟକ୍ରମ

ଭୁବନେଶ୍ବର : ‘ମୋ ସ୍କୁଲ୍‌ ଅଭିଯାନ’ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ୫-ଟି ଅଧୀନ ‘ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ’ରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗୋଷ୍ଠୀ ସହଭାଗିତା ଓ ସମ୍ପୃକ୍ତିକୁ ଗୁରୁତ୍ୱ ଦିଆଯାଇଛି। ୩ ହଜାର ୪୧୫ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ ସ୍କୁଲ୍‌ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟଙ୍କୁ ନେଇ ବୈଠକର କରାଯାଇ ରୂପାନ୍ତରୀକରଣ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ ଲୋଡ଼ା ଯାଇଛି। ରୂପାନ୍ତରିତ ବିଦ୍ୟାଳୟରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ର ୯ମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଯୋଗଦେଇ କହିଲେ, ‘ମୋ ସ୍କୁଲ୍‌’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପକୁ ସ୍କୁଲସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି। ସ୍କୁଲରେ ଚାଲିଥିବା ପ୍ରକଳ୍ପ କିଭଳି ଠିକ୍ ସମୟରେ ଶେଷ ହେବ ଏବଂ ଛାତ୍ରଛାତ୍ରୀ ଯେପରି ଏହାର ସୁଫଳ ପାଇବେ ସେଥିପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ କହିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବା ଲାଗି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତ ଭାବେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଠପଢ଼ା ସହ ପିଲାଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ‘ମୋ ସ୍କୁଲ୍‌’ ପଦକ୍ଷେପ ନେଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହାଇସ୍କୁଲଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ାଯାଇ ସେମାନଙ୍କୁ ସ୍କୁଲର ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ। ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଓ ବର୍ତ୍ତମାନ କ’ଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ ହେବ। ସ୍କୁଲ୍‌ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍କୁଲ୍‌ରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, ମେଣ୍ଟରିଂ ଓ କ୍ୟାରିୟର୍‌ କାଉନ୍‌ସେଲିଂ କାର୍ଯ୍ୟକ୍ରମର ହେବ। ପ୍ରତି ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ସ୍କୁଲ୍ ଓ ନିକଟବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ, କିଚେନ୍ ଗାର୍ଡେନ୍ ଓ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାରେ କାର୍ଯ୍ୟକ୍ରମ କରାଯିବ। କୋଭିଡ୍‌-୧୯ ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଥିବାରୁ ତାହାର ଭରଣା ପାଇଁ ୟୁନିସେଫ୍ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ଦୁଇବର୍ଷ ପାଇଁ ‘ମୋ ସ୍କୁଲ୍‌’ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ପ୍ରଥମେ ପ୍ରାଥମିକ ଓ ପରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି।

ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ‘ମୋ ସ୍କୁଲ୍‌’ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର, ପ୍ରବୀର କୁମାର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡିଡିଆର୍‌ଡିଏ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର