ମାଟ୍ରିକ୍‌ ଆସେସ୍‌ମେଣ୍ଟ ସମ୍ପର୍କରେ ଶିକ୍ଷକଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର : କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ନୂତନ ଢାଞ୍ଚାରେ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ସି) ନିଷ୍ପତ୍ତି ନେଇଛି। ବର୍ଷକ ମଧ୍ୟରେ ଦୁଇଟି ପରୀକ୍ଷା ସହ ଇଣ୍ଟରନାଲ ଆସେସ୍‌ମେଣ୍ଟ କରାଯିବ। ଛାତ୍ରଛାତ୍ରୀଙ୍କ ଆସେସ୍‌ମେଣ୍ଟ ଆରମ୍ଭ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ‌ସେପ୍ଟେମ୍ବର ୬ରୁ ୮ ପର୍ଯ୍ୟନ୍ତ କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ଏହି ତାଲିମ୍‌ ଦିଆଯିବ। ଯେଉଁଥିରେ ବିଭିନ୍ନ ବିଷୟରେ ୯୬ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ହେବେ। ଓଡ଼ିଆ, ଇଂରାଜୀ ଓ ଗଣିତରେ ୧୬ଜଣ ଲେଖାଏଁ ଶିକ୍ଷକଙ୍କୁ ତାଲିମ୍‌ ଦିଆଯିବ। ଅନ୍ୟ ବିଷୟଗୁଡ଼ିକରେ ୮ଜଣ ଲେଖା‌ଏଁ ଶିକ୍ଷକଙ୍କୁ ତାଲିମ୍‌ ମିଳିବ। କଟକ ଜିଲ୍ଲାରୁ ସର୍ବାଧିକ ୫ଜଣ ସାମିଲ ହେବାକୁ ଥିବା ବେଳେ ବଲାଙ୍ଗୀର, ଗଞ୍ଜାମ, ଖୋର୍ଧା, ମୟୂରଭଞ୍ଜରୁ ୪ଜଣ ଲେଖାଏଁ ଓ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ୩ଜଣ ଲେଖାଏଁ ଏହି ତାଲିମ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର