ବନ୍ଦ ହେଲା ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ, ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ

ଫୋନ୍‌ରେ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବେ ଶିକ୍ଷକ

କେନ୍ଦୁଝର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ଅଲଟରନେଟିଭ୍‌ ଲର୍ଣ୍ଣିଂ ଓ ମେଣ୍ଟରସିପ୍‌ ପ୍ରୋଗ୍ରାମ ବା ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ଦୁଇ ସପ୍ତାହ ପାଇଁ ବନ୍ଦ ରହିବ। କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ହଷ୍ଟେଲରେ ରହି ପାଠ ପଢ଼ୁଥବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଗାଁକୁ ଆସିବା ପରେ ଏହି କାର୍ଯ୍ୟକ୍ରମ ଚାଲୁଥିଲା। ମାତ୍ର କରୋନା ତାର କାୟା ବିସ୍ତାର କରି ଚାଲିଥିବାରୁ ଏହି କାର୍ଯ୍ୟକ୍ରମକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, କରୋନା ମହାମାରୀ ପାଇଁ କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ତିନି ମାସର ଅଗ୍ରିମ ବୃତ୍ତି ଅର୍ଥ ସହ ଘରକୁ ପଠାଇ ଦିଆଯାଇଥିଲା। ମାର୍ଚ୍ଚ ୨୫ ତାରିଖରୁ ଛାତ୍ରଛାତ୍ରୀ ଘରେ ଅଛନ୍ତି। ଗାଁରେ ରହିବା ସମୟରେ ଛାତ୍ରଛାତ୍ରୀମାନେ ଯେପରି ପାଠପଢ଼ା ଠାରୁ ଦୂରେଇ ନଯିବେ ସେଥିପାଇଁ ଇ-ସୁବିଦ୍ୟା ସାଙ୍ଗକୁ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦ୍ବାରା କେନ୍ଦୁଝର ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗାଁକୁ ଗାଁ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ କରୋନା ମହାମାରୀ ସଂପର୍କରେ ସଚେତନ କରୁଥିଲେ। ବିଶେଷକରି ଯେଉଁ ଛାତ୍ରଛାତ୍ରୀଙ୍କ ମୋବାଇଲ ଥିଲା ସେମାନଙ୍କୁ ହ୍ବାଟସ୍‌ଆପ୍‌ ଜରିଆରେ ‌ବିଷୟ ବସ୍ତୁ ପଠାଯାଇଥିଲା। ପ୍ରତି ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁଥିଲା। ଏମିତିକି ଏହି କାର୍ଯ୍ୟକ୍ରମ ପାଇଁ ଏକ ୧୨ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲା ଯାଇଥିଲା। ଜିଲ୍ଲାର ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ କାର୍ଯ୍ୟକ୍ରମର ତଦାରଖ ଓ ତଥ୍ୟ ପ୍ରଦାନ ପାଇଁ ଦାୟିତ୍ବ ଦିଆଯାଇଥିଲା। ବିଭିନ୍ନ ବିଷୟରେ ପାରଙ୍ଗମ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଏକ ୧୧ ଜଣିଆ ଡିଷ୍ଟ୍ରିକ୍ଟ ରିସୋର୍ସ ଗ୍ରୁପ୍‌ ମଧ୍ୟ ଗଠନ କରାଯାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗାଁକୁ ଗାଁ ଯାଇ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ବ୍ୟବସ୍ଥାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଆଜି ଏ ସଂପର୍କରେ କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ନମ୍ବର-୯୧୩୦ ତାରିଖ ୬/୭/୨୦୨୦ରେ ନିର୍ଦେଶ ଦେଇଛନ୍ତି। ମେଣ୍ଟରସିପ୍‌ କାର୍ଯ୍ୟକ୍ରମକୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିନ୍ତୁ ହ୍ବାଟସ୍‌ଅପ୍‌ ଗ୍ରୁପ୍‌ରେ ପୂର୍ବରୁ ଯେଭଳି ବିଭିନ୍ନ ବିଷୟବସ୍ତୁ ପଠାଯାଉଥିଲା ତାହା ଜାରି ରହିବ। ତେବେ ମେଣ୍ଟର ଦାୟିତ୍ବ ତୁଲାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟକ୍ଷ ଭାବେ ଛାତ୍ରଛାତ୍ରୀଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ସେମାନଙ୍କ ଦ୍ବନ୍ଦ୍ବ ଦୂର କରିବେ। ସେହିପରି ମେଣ୍ଟରମାନଙ୍କର ୱେବିନାର ମଧ୍ୟ ପୂର୍ବ ପରି ଚାଲିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର