ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ, ଜଣେ ବି ନାହାନ୍ତି ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ

ସମ୍ବଲପୁର : ଆଦିବାସୀ ବହୁଳ ଅଂଚଳର ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ କେନ୍ଦ୍ରୀୟ ଅନୁଦା‌ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ‌ର ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ସାରା ରାଜ୍ୟରେ ୨୭ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ କୁଚିଣ୍ଡାରେ ଥିବା ଏହି ବିଦ୍ୟାଳୟ‌ରେ ଜଣେ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ ନାହାନ୍ତି। ସରକାରୀ ଅବହେଳା ଯୋଗୁ ଯେଉଁ ମହତ୍‌ ଲକ୍ଷ୍ୟ ନେଇ ଏହି ବିଦ୍ୟାଳୟ ସ୍ଥାପିତ ହୋଇଛି, ତାହା ସାଧିତ ହୋଇପାରୁନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷାଦାନ ନିମନ୍ତେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଇଛି। ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ସମ୍ବଲପୁର ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ପ୍ରବେଶିକା ପରୀକ୍ଷା ଜରିଆରେ ଷଷ୍ଠ ଶ୍ରେଣୀ ନିମନ୍ତେ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀମାନେ ଏଠାରେ ନାମ ଲେଖାଇଥାନ୍ତି। ପ୍ରତ୍ୟେକ ଶ୍ରେଣୀରେ ୬୦ ଜଣ ଲେଖାଏଁ ଆଦିବାସୀ ଛାତ୍ର ଓ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମ୍ବଲପୁର ଜିଲ୍ଲା ମଂଗଳ ଅଧିକାରୀ(ଡିଡବ୍ଲ୍ୟୁଓ) ପକ୍ଷରୁ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଗତ ୨୨ ଜୁନ୍ ୨୦୧୮ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏସବୁ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ହେବା ପରେ ୧୦ ଜୁନ୍ ୨୦୧୯ରେ ପ୍ରମାଣପତ୍ର ଯାଂଚ ପାଇଁ ଡକାଯାଇଥିଲା। ଇତିମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ ହେବା ପରେ ବି ନିଯୁକ୍ତି ଦିଆଯାଇ ନାହିଁ।

କୁଚିଣ୍ଡା ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ବର୍ଷକ ତଳେ କୋଭିଡ ପରିସ୍ଥିତିରେ ବି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି କରି ଗଣଧାରଣା ଦେବା ପରେ ଧର୍ମକୁ ଆଖି ଠାର ଭଳି ଟିଜିଟି ପଦରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯାଇଛି। କିନ୍ତୁ, ରାଜ୍ୟସ୍ତରୀୟ ଚୟନରେ ବଛାଯାଇଥିବା ଓ ରାଜ୍ୟର ବିଭିନ୍ନ ଅଞ୍ଚଳର ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୋଷଣ କରି ପୂର୍ଣ୍ଣକାଳୀନ ଶିକ୍ଷାଦାନର ସୁଯୋଗ ଦେଉନଥିବାରୁ ଅଳ୍ପ ପାରିଶ୍ରମିକରେ କାର୍ଯ୍ୟ କରିବାର ଆଗ୍ରହ ରଖୁ ନାହାନ୍ତି। ବିଗତ ବର୍ଷ ପରି ଅନ୍‌ଲାଇନ୍ ଶିକ୍ଷା କିମ୍ବା ଘରକୁ ପ୍ରଶ୍ନ ପଠାଇ ଡାକ ଯୋଗେ ପାଠ ପଢ଼ାଇବାର ବ୍ୟବସ୍ଥା କରାଯାଉନାହିଁ। ଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଇତିମଧ୍ୟରେ ପୂର୍ବରୁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ପ୍ରାର୍ଥୀ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିବା ପରେ ନିରାଶ ହେବାରୁ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର