ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ତାଲିକା ବଢ଼ିବାରେ ଲାଗିଛି। ଏହି ତାଲିକାରେ ବାହାର ରାଜ୍ୟରୁ ବିଇଡି ସାର୍ଟିଫିକେଟ୍ ଦାଖଲ କରିଥିବା ଶିକ୍ଷକଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି। ଏଣୁ ଗଞ୍ଜାମ ଜିଲ୍ଲାରେ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ ଦାଖଲ କରି ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୩୦୦ ଟପି ସାରିଲାଣି, ଯେଉଁମାନେ କି ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ ଜରିଆରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷକତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍ଧାରୀ ରହିଛନ୍ତି। ଏବେ ଧରାକୋଟ ବ୍ଲକ୍ରୁ ପୁଣି ଏଭଳି ୩୯ଜଣ ଶିକ୍ଷକଶିକ୍ଷୟିତ୍ରୀ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ବାହାର ରାଜ୍ୟର ସାର୍ଟିଫିକେଟ୍ ଜରିଆରେ ବହୁ ଲୋକ ଚାକିରି କରୁଛନ୍ତି। ବିଗତ ଦିନରେ ଏଭଳି ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ଧରା ହୋଇଛନ୍ତି। ସେହିପରି ଜାଲ୍ ସାର୍ଟିଫିକେଟ୍ କାରବାର କରୁଥିବା ଜଣେ ଶିକ୍ଷକଙ୍କୁ ବିଗତ ଦିନରେ ବ୍ରହ୍ମପୁର ପୁଲିସ ଠାବ କରିବା ସହିତ ବିପୁଳ ନକଲି ଶିକ୍ଷା ପ୍ରମାଣପତ୍ର ଜବତ କରିଥିଲା। ଶିକ୍ଷକ ଜଣକ ଦୀର୍ଘଦିନ ହେଲା ଏହି କାରବାର କରୁଥିଲେ ବୋଲି ତଦନ୍ତରେ ଜଣାପଡ଼ିଥିଲା। ସେ ବହୁ ଲୋକଙ୍କୁ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରିଛନ୍ତି। ଏଣୁ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ରେ ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ଦାବି ହୋଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ର ଶିକ୍ଷାଧିକାରୀଙ୍କୁ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଏ ନେଇ ତଥ୍ୟ ମାଗିଥିଲେ। ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଏଭଳି ୩୯ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ଟି ବ୍ଲକ୍ରୁ ୩୦୦ ଜଣ ବାହାର ରାଜ୍ୟ ସାର୍ଟିଫିକେଟ୍ଧାରୀ ଚିହ୍ନଟ ହୋଇ ସାରିଲେଣି। ସମସ୍ତଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ପିଟିସନ୍ ରୁଜୁ କରାଯାଇଛି।
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ରୁ ୪୭ଜଣ ଚିହ୍ନଟ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକ୍ରେ ସର୍ବାଧିକ ୬୧ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। ସେହିପରି ଦିଗପହଣ୍ଡି ବ୍ଲକ୍ରେ ୪୩ଜଣ ରହିଛନ୍ତି। ହିଂଜିଳିକାଟୁ ବ୍ଲକ୍ରେ ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ରେ ଚାକିରି କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ରେ ୧୯ଜଣ, ଖଲ୍ଲିକୋଟ ବ୍ଲକ୍ରେ ୭ଜଣ, କୁକୁଡ଼ାଖଣ୍ଡି ବ୍ଲକ୍ରେ ୧୯ଜଣ, ସୋରଡ଼ା ବ୍ଲକ୍ରେ ୨୧ଜଣ ଓ ରଂଗେଇଲୁଣ୍ଡା ବ୍ଲକ୍ରେ ୩୦ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ପ୍ରମାଣପତ୍ରରେ ଚାକିରି କରୁଛନ୍ତି। ତଦନ୍ତରେ ଜାଲ୍ ସାର୍ଟିଫିକେଟ୍ ଧରାପଡ଼ିଲେ ସମ୍ପୃ୍କ୍ତ ଶିକ୍ଷକଶିକ୍ଷୟିତ୍ରୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦରମା ବାବଦରେ ନେଇଥିବା ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ତାଙ୍କର ପିଟିସନ୍ରେ ଅନୁରୋଧ କରିଛନ୍ତି।