ଭୁବନେଶ୍ୱର : ଛତିଶଗଡ଼ର ୧୪ଟି ଜିଲ୍ଲାର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଆ ଭାଷା ଓ ଲିପିରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରାଯିବା ନେଇ ବ୍ୟବସ୍ଥା ହୋଇଛି। ଛତିଶଗଡ଼ ସରକାର ହିନ୍ଦୀ-ଓଡ଼ିଆ ଦ୍ବିଭାଷୀ ପାଠ୍ୟ ପୁସ୍ତକ ପ୍ରକାଶ କରି ପ୍ରଥମ ପର୍ଯ୍ୟାୟ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି। ତେଣୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି।

Advertisment

୨୦୧୩ ଓ ୨୦୧୫ ମସିହାରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ ୮ଜଣ ବିଧାୟକଙ୍କର ଛତିଶଗଡ଼ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂହଙ୍କ ସହ ସାକ୍ଷାତ ଆଲୋଚନା ‌ହୋଇଥିଲା। ଓଡ଼ିଆ ଭାଷା‌ରେ ଶିକ୍ଷାଦାନ, ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା, ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହୋଇଥିଲା। ଉତ୍କଳ ସମ୍ମିଳନୀର ସଭାପତି ଡ.ଅଦ୍ବୈତ କୁମାର ପାତ୍ରଙ୍କ ଅନୁରୋଧ କ୍ରମେ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀ, ରଂଜନା ଚୋପ୍ରା, ଅତିରିକ୍ତ ମୁଖ୍ୟ ସଚିବ ପି.କେ ମହାପାତ୍ର ଏନେଇ ଛତିଶଗଡ଼ର ସଚିବଙ୍କ ନିକଟକୁ ଚିଠି ଲେଖିଥିଲେ। ୨୦୧୯ରେ ଛତିଶଗଡ଼ର ଓଡ଼ିଆ ଅଧିବାସୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମଶଙ୍କର ପଣ୍ଡାଙ୍କ ଆବେଦନ କ୍ରମେ ବିଳାସପୁର ହାଇକୋର୍ଟ ତାଙ୍କ ରାଜ୍ୟର ଓଡ଼ିଆ ଭାଷୀ ଅଞ୍ଚଳରେ ଓଡ଼ିଆରେ ଶିକ୍ଷାଦାନର ଆଦେଶ ଦେଇଥିଲେ। ଏହାକୁ ସମ୍ମାନ ଜଣାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ୨୦୨୦ ମସିହା ଜାନୁଆରି ୨୬ ତାରିଖରେ ଓଡ଼ିଆ ସମେତ ଅନ୍ୟ କେତୋଟି ଭାଷାରେ ପ୍ରାଥମିକ ଶିକ୍ଷା ଦିଆଯିବା ବିଷୟ ଘୋଷଣା କରିଥିଲେ। ଏହା ଫଳପ୍ରଦ ହୋଇଥିବାରୁ ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ଶ୍ରୀ ପାତ୍ର, ସାଧାରଣ ସମ୍ପାଦକ ଆଇନଜୀବୀ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉମାରାଣୀ ମହାନ୍ତି, ପଦ୍ମନାଭ ସାମଲ, କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ସୁଦାମ ଦାସ, ଦାଶରଥୀ ଦାସ, ତ୍ରିନାଥ ସାହୁ ପ୍ରମୁଖ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର, ବିଧାନସଭା ସବକମିଟିକୁ କୃତଜ୍ଞତା ଜଣାଇବା ସହ ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି।