ମାତୃଭାଷାରେ ଶିକ୍ଷାଦାନ ପିଲାର ହୃଦୟକୁ ଛୁଇଁପାରିବ: ରାଜ୍ୟପାଳ ବିଶ୍ବଭୂଷଣ

ମଣିଷ ‘ଉତ୍କର୍ଷ’ର ଉପାସନାରେ ବିଶ୍ବାସ କରେ: ସୌମ୍ୟରଞ୍ଜନ

 

ଭୁବନେଶ୍ବର : ମାତୃଭୂମି ଓ ମାତୃଭାଷାକୁ ଉପେକ୍ଷା କରି ଗ୍ରହଣ କରାଯାଉଥିବା ଶିକ୍ଷାକୁ ପ୍ରକୃତ ଶିକ୍ଷା କୁହାଯାଇପାରିବ ନାହିଁ। ମାତୃଭାଷାରେ ଶିକ୍ଷାଦାନ ପିଲାର ମନ ଓ ହୃଦୟକୁ ଛୁଇଁପାରିବ। କିନ୍ତୁ ବିଡ଼ମ୍ବନାର କଥା, ଏବେ ପିଲାମାନେ ଘରେ ବି ଓଡ଼ିଆ କହୁନାହାନ୍ତି। ଏହା ଶିକ୍ଷା ନୁହେଁ, ଅଶିକ୍ଷା। ଭାରତ ସରକାରଙ୍କ ନୂତନ ଶିକ୍ଷାନୀତିରେ ଏଥିରେ ସଂସ୍କାର ଅଣାଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାତୃଭାଷା ପଢ଼ିବାକୁ ନିୟମ କରାଯାଇଛି। କନକ ନ୍ୟୁଜ୍‌ ପକ୍ଷରୁ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ଓଡ଼ିଶା ଏଜୁକେସନ୍‌ କନକ୍ଲେଭ୍‌-୨୦୨୨ର ତୃତୀୟ ସଂସ୍କରଣ ‘ଉତ୍କର୍ଷ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ଏହା କହିଛନ୍ତି।

ଉଦ୍‌ଘାଟନୀ ଅଧିବେଶନର ବିଷୟ ‘ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତିର ପ୍ରୟୋଗ ଓ ପିଲାଙ୍କ ଭବିଷ୍ୟତ’ ଉପରେ ମତ ରଖି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ, ଦୀର୍ଘ ବର୍ଷ ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ନୂତନ ଶିକ୍ଷାନୀତିରେ ଶିକ୍ଷାକୁ ସାର୍ବଜନୀନ କରିବାକୁ ଚେଷ୍ଟା କରାଯାଇଛି। ସରକାର ଶିକ୍ଷା ବ୍ୟବସ୍ଥାକୁ ଅଙ୍ଗନବାଡ଼ି କେନ୍ଦ୍ରଠାରୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଉପରେ କହିଥିଲେ। ଆତ୍ମନିର୍ଭର ନହେଲେ ଦେଶର ବିକାଶ ଅସମ୍ଭବ ବୋଲି ମତ ରଖିଥିଲେ।

କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନଙ୍କୁ ଉତ୍ସର୍ଗ କରି ‘ସମ୍ବାଦ’ ଗ୍ରୁପ୍‌ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନା‌ୟକ କହିଲେ ଯେ ମଣିଷ ‘ଉତ୍କର୍ଷ’ର ଉପାସନାରେ ବିଶ୍ବାସ କରେ। ଓଡ଼ିଶା ଉତ୍କର୍ଷର ଉପାସକ ଥିଲା ବୋଲି କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା। ସାଧବ ପୁଅ ନୌବାଣିଜ୍ୟରେ ଅଭୂତପୂର୍ବ ସମ୍ଭାବନାକୁ କରାୟତ୍ତ କରି ପାରିଥିଲେ। ଓଡ଼ିଶା ସାଂସ୍କୃତିକ ଜୀବନରେ ଉଚ୍ଚତମ ସୋପାନରେ ପହଞ୍ଚିଥିଲା। ଏବେ ସମୟ ଆସିଛି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଗତି କରିବାରେ ସଫଳ ହେବା ପାଇଁ। ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ଏକ ଆଗୁଆ ପଦକ୍ଷେପ ନେଇଛନ୍ତି। ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ଏକ ନୂଆ ମନ୍ତ୍ର ସାଜିଛି। ବେସରକାରୀ ଅନୁଷ୍ଠାନ ଭଳି ସରକାରୀ ବିଦ୍ୟାଳୟରେ ସବୁ କିଛି ସୁବିଧା ଦେବାକୁ ଚେଷ୍ଟା କରାଯାଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ବି ଜାତି, ଧର୍ମ, ବର୍ଣ୍ଣ ଏବଂ ରୋଜଗାର ନିର୍ବିଶେଷରେ ସମସ୍ତଙ୍କୁ ଉଚିତ ସ୍ବାସ୍ଥ୍ୟ‌ସେବା ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି।

କନକ ନ୍ୟୁଜ୍‌ ଓଡ଼ିଶା ଏଜୁକେସନ୍‌ କନ୍‌କ୍ଲେଭ୍‌ ‘ଉତ୍କର୍ଷ’

ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ, ବିକାଶ ପାଇଁ ସର୍ବନିମ୍ନ ଆବଶ୍ୟକତା ହେଉଛି ଜାତିକୁ ଶିକ୍ଷିତ କରିବା। ସେହିପରି ନୋବେଲ ବିଜେତା ନେଲସନ୍‌ ମାଣ୍ଡେଲା କହିଥିଲେ, ଗୋଟିଏ ଜାତିକୁ ନଷ୍ଟ କରିବାକୁ ହେଲେ ଯୁଦ୍ଧ ଦରକାର ନାହିଁ। ତା’ର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦିଅ। ଏହି ଦୁଇ ଆହ୍ବାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ତଦନୁଯାୟୀ କାମ କରିବାକୁ ସଂକଳ୍ପ ‌ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

‌‌‌‌କାର୍ଯ୍ୟକ୍ରମରେ ମୋଟ ୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଗୀତାଞ୍ଜଳି ଦାଶ, ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, କୋହେନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ବିକାଶ ବାହିନୀପତି, କେ.ଟି ଗ୍ଲୋବାଲ୍‌ ସ୍କୁଲ୍‌ (ଗ୍ଲୋବାଲ୍‌ ସ୍କୁଲ୍‌ସ ଚିଫ୍‌ ମେଣ୍ଟର) ଅରୁଣ ଦାସ, ଦଧୀଚି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁସନ୍‌ର ଅଧ୍ୟକ୍ଷ ମନୋଜ ଦାସ, ଢ଼େଙ୍କାନାଳ ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ବ୍ଲୁସମ୍‌ ସ୍କୁଲ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶିକା ନଦିଆ ମେଗ୍‌ବୋଲପୁର ଏବଂ ଏକାଡେମିକ୍‌ କନ୍‌ସେଫ୍ଟ ସ୍କୁଲ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଭାତ ତ୍ରିପାଠୀ ପ୍ରମୁଖ ବିଭିନ୍ନ ଆଲୋଚନାରେ ଭାଗ ନେଇ ମତ ରଖିଥିଲେ। କନକ ନ୍ୟୁଜ୍‌ର ସିଇଓ ରତିକାନ୍ତ ଶତପଥୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ’ର ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, କନକ ନ୍ୟୁଜ୍‌ର ଆଉଟ୍‌ପୁଟ୍‌ ମୁଖ୍ୟ ନରେନ୍ଦ୍ର ଜେନା, ନ୍ୟାସନାଲ୍‌ ସେଲସ୍‌ ମୁଖ୍ୟ ଅମିତ୍‌ ପାଣି ପ୍ରମୁଖ ଉପସ୍ଥିତ ଥିଲେ। କନକ ନ୍ୟୁଜ୍‌ର ବରିଷ୍ଠ ସାମ୍ବାଦିକ ସ୍ମୃତିରଂଜନ ବେହରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପସ୍ଥାପିକା ସୌମ୍ୟା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର