ମହାମାରୀ ପାଇଁ ଭୂତାଣୁ ବିଜ୍ଞାନରେ ଶିକ୍ଷାଦାନ : ଏଆଇପିଏଚ୍‌ ରାଜ୍ୟରେ ପ୍ରଥମ

ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ, ଶିକ୍ଷାଦାନ କରିବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଧ୍ୟାପକ

ଭୁବନେଶ୍ୱର : କୋଭିଡ୍-୧୯ର ବ୍ୟାପକତା ପଛରେ ଭୂତାଣରୁ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ସର୍ବପ୍ରଥମ ଜନସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଭୂତାଣୁ ବିଜ୍ଞାନରେ ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ କରିଛି। ଏହି ପାଠ୍ୟକ୍ରମ ଓଡ଼ିଶାରେ ପ୍ରଥମ ଓ ଦେଶରେ ଦ୍ବିତୀୟ। ଚାରି ସେମିଷ୍ଟାର ବିଶିଷ୍ଟ ଏହି ପାଠ୍ୟକ୍ରମ ନିରନ୍ତର ଶିକ୍ଷା ଓ ମୂଲ୍ୟାୟନ ମାଧ୍ୟମରେ ପ୍ରଦାନ କରାଯିବ।

ପାଠ୍ୟକ୍ରମରେ ଯୋଗଦାନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭୂତାଣୁ ବିଜ୍ଞାନର ବିଭିନ୍ନ ଦିଗ ଯଥା: ରୋଗ, ମହାମାରୀ, ପ୍ରତିଷେଧକ ଟିକା ଆଦି ସମ୍ବନ୍ଧରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ବାରା ଶିକ୍ଷାଦାନ କରାଯିବ। ଭୂତାଣୁ ପରୀକ୍ଷଣ ପାଇଁ ମଧ୍ୟ ଆବଶ୍ୟକୀୟ ଉପକରଣ ସହିତ ସୁସଜ୍ଜିତ ଗବେଷଣାଗାର ସ୍ଥାପନ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରେ ଜୈବ ନିରାପତ୍ତା-୩ ବା ବାଇଓସେଫ୍ଟି ଲେଭେଲ୍‌-୩ ଉପଲବ୍ଧ ଅଛି, ଯେଉଁଠାରେ ଭୂତାଣୁ ସଂକ୍ରମିତ ରକ୍ତ, କଫ, ମଳ, ମୂତ୍ର ଓ ଜୀବକୋଷ ଆଦିର ପରୀକ୍ଷଣ ଓ ବିଶ୍ଲେଷଣ କରାଯାଉଛି।

ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟରେ ନିୟମିତ ଭାବରେ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ଯଥା: ଜୀବବିଜ୍ଞାନ, ଅଣୁଜୀବ, ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନ, ଜନସ୍ବାସ୍ଥ୍ୟ ଓ ଫିଜିଓଥେରାପି ରହିଛି। ଭୂତାଣୁ ବିଜ୍ଞାନ ଏଥିରେ ସଂଲଗ୍ନ ହେବା ସହିତ ଏହାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କୌଶଳ ଓ ଯୋଜନା କରାଯାଇଛି। ଯେମିତିକି, ମାସିକ ପାଠଚକ୍ର, ବୈଷୟିକ ତାଲିମ୍‌ ଇତ୍ୟାଦି। ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଭୂତାଣୁଜନିତ ମହାମାରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବେ। ଏଥିସହିତ, ଛାତ୍ରଛାତ୍ରୀମାନେ ଶିକ୍ଷାପ୍ରାପ୍ତ ପରେ ଦେଶର ବିଭିନ୍ନ ଖ୍ୟାତିସମ୍ପନ୍ନ କର୍ମସଂସ୍ଥାନରେ ନିଯୁକ୍ତି ପାଇପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସାରାବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍‌ ମହାମାରୀ ସମୟରେ ଚାରିଟି କ୍ଷେତ୍ର; ଭାଇରୋଲୋଜି, ମାଇକ୍ରୋବାୟୋଲୋଜି, ଜୀବବିଜ୍ଞାନ ଏବଂ ଜନସ୍ୱାସ୍ଥ୍ୟର ଗୁରୁତ୍ବ ପ୍ରତିପାଦିତ ହୋଇଛି। କୋଭିଡ ପରି, ଅନ୍ୟସମୟରେ ବି ଏକ ଜୀବାଣୁ ‌କୌଣସି ମାରାତ୍ମକ ରୋଗର ବାହକ ହୋଇଥାଏ। ଭିନ୍ନ ଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। ‌ବୀଜାଣୁ ହେଉଛି ସାରାବିଶ୍ବରେ ପ୍ରଚୁର ମାତ୍ରାରେ ରହିଥିବା ଜୈବିକ ଉପାଦାନ। ଏହି ଭୂତାଣୁ ସଂକ୍ରମଣ ପାଇଁ କୌଣସି ଚିକିତ୍ସା ନାହିଁ ଯଦିଓ ଟିକାକରଣ ଓ ଅନ୍ୟାନ୍ୟ ପଦ୍ଧତି ଏହାର ସଂକ୍ରମଣକୁ ରୋକିଦେଇପାରେ। ଏହିଭଳି ଏକ ପରିସ୍ଥିତିରେ ତଥା ମହାମାରୀ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବା ପାଇଁ ଦେଶରେ ‌େଯାଗ୍ୟ ଭାଇରୋଲୋଜିଷ୍ଟଙ୍କର ଅଭାବ ରହିଛି। ଏଆଇପିଏଚ୍‌ ୟୁନିଭର୍ସିଟିର ଭୂତାଣୁ ସ୍ନାତକୋତ୍ତର ପାଠ୍ୟକ୍ରମ ଏହି ଅଭାବକୁ ଦୂର କରିପାରିବ।

ସମ୍ବନ୍ଧିତ ଖବର