ନୂଆପଡ଼ା/ ସିନାପାଲି: ନୂଆପଡ଼ା ଜିଲ୍ଲାର ସିନାପାଲି ବନ ବିଭାଗ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠଗଣ୍ଡି ଜବତ କରିଥିବା ଜଣାଯାଇଛି। ତେବେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ କୌଣସି ସୁତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀ ବିମଳ ପ୍ରକାଶ ଟୋକନୋଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା। ଲିଟିଗୁଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ( ସିଜି ୦୪ଡିଏ ୩୦୦୯)ରୁ କଳାହାଣ୍ଡିକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ଚଢାଉ କରାଯାଇ ୨୩ ଖଣ୍ତ ଶାଗୁଆନ କାଠଗଣ୍ଡି ସହ ଗାଡ଼ିକୁ ସିନାପାଲି ବନ ବିଭାଗ ଜବତ କରିଛି। ତେବେ ଚୋରା ଚାଲାଣକାରୀମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି।
ଜବତ କାଠର ଅନୁମାନିକ ମୁଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ସିନାପାଲି ବନ ବିଭାଗ ତରଫରୁ ରୁଜୁ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ଶ୍ରୀ ଟୋକନୋ ପ୍ରକାଶ କରିଛନ୍ତି। ବନ ଅଧିକାରୀ ଶ୍ରୀ ଟୋକନୋଙ୍କ ସମେତ ଫରେଷ୍ଟର ଖଗେଶ୍ୱର ମାଝି, କନରାମ ନାଏକ ଓ ପୁରୁଷୋତ୍ତମ ନାଗଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଚଢାଉ କରିଥିଲେ।