ଆୟୁଷ ସେବାର ଯାଞ୍ଚ ପାଇଁ ଗଠିତ ହେଲା ଟିମ୍

ଟିମ୍‌ରେ ୨ଜଣ ଲେଖାଏଁ ଆୟୁର୍ବେଦ/ହୋମିଓପ୍ୟାଥିକ ଅଧିକାରୀ
ସପ୍ତାହରେ ଥରେ ବିଭିନ୍ନ ଡିସ୍‌ପେନସାରି ପରିଦର୍ଶନ ନିର୍ଦେଶ
ଯାଜପୁରରେ ଡ୍ୟୁଟି କରୁ ନ ଥିବା ଧରାପଡ଼ିଲେ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ଲୋକମାନଙ୍କୁ ଉପଯୁକ୍ତ ଆୟୁଷ ସେବା ମିଳୁଛି କି ନାହିଁ, ତାହାର ଯାଞ୍ଚ ଲାଗି ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ୪ ଜଣିଆ ଟିମ୍ ଗଠନ କରାଯାଇଛି। ଟିମ୍‌ରେ ୨ ଜଣ ଲେଖାଏଁ ଆୟୁର୍ବେଦ ଓ ହୋମିଓପ୍ୟାଥି ଅଧିକାରୀ ରହିଛନ୍ତି। ସଂପୃକ୍ତ ଟିମ୍ ସପ୍ତାହରେ ଥରେ ବିଭିନ୍ନ ହୋମିଓପ୍ୟାଥିକ ଓ ଆୟୁର୍ବେଦ ଡିସ୍‌ପେନସାରି ପରିଦର୍ଶନ କରିବା ସହ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।

ଟିମ୍‌-୧ରେ ଡା. ଦସମତ ମୁର୍ମୁ(ହୋମିଓପ୍ୟାଥି), ଡା. ଗୌରବ ଗିରି, ସହକାରୀ ଡ୍ରଗ୍‌ସ କଣ୍ଟ୍ରୋଲର(ଆୟୁର୍ବେଦ), ଟିମ୍‌-୨ରେ ଡା. ଅଜୟ କୁମାର ପଣ୍ଡା, ସିଏମ୍‌ଓ(ହୋମିଓପ୍ୟାଥି) ଓ ଡା. ରାମଚନ୍ଦ୍ର ସାହୁ(ଆୟୁର୍ବେଦ) ରହିଛନ୍ତି। ଏହି ଟିମ୍‌ ସରକାରୀ ଆୟୁର୍ବେଦିକ/ହୋମିଓପ୍ୟାଥିକ ଡିସ୍‌ପେନସାରିଗୁଡ଼ିକୁ ଅଚାନକ ଗସ୍ତ କରିବା ସହ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବେ। ପରିଦର୍ଶନ ସମୟରେ ଆୟୁଷର ବିଭିନ୍ନ ସେବା, ଔଷଧ ବିତରଣ, ରେକର୍ଡ/ରେଜିଷ୍ଟ୍ରାର୍‌ ଠିକ୍‌ରେ ରକ୍ଷଣାବେକ୍ଷଣ, ଜାତୀୟ ଆୟୁଷ ମିସନ୍‌ ଅଧୀନରେ ଦିଆଯାଇଥିବା ପାଣ୍ଠିର ଉପଯୁକ୍ତ ବିନିଯୋଗ ଉପରେ ମଧ୍ୟ ତର୍ଜମା କରିବା ଲାଗି କୁହାଯାଇଛି।

ଏହି ଟିମ୍‌ ଗଠନ ହେବା ପରେ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ। ଯାଜପୁରର ୪ଟି ଡିସ୍‌ପେନସାରି ଗସ୍ତ କରିବା ସହିତ ସେଠାରେ ଆୟୁଷ ସେବାର ଯାଞ୍ଚ କରିଥିଲେ। ତେ‌ବେ ଗୋଟିଏ ଡିସ୍‌ପେନସାରିରେ କୌଣସି କର୍ମଚାରୀ ନ ଥିବା ନଜରକୁ ଆସିଥିଲା। ଏପରିକି ସେଠାରେ ଥିବା ଡାକ୍ତର ବର୍ଷବର୍ଷ ଧରି ଡ୍ୟୁଟି କରୁ ନଥିବା ଜଣାପଡ଼ିବା ପରେ ଟିମ୍ ଏ ସଂକ୍ରାନ୍ତୀୟ ରିପୋର୍ଟ ନିର୍ଦେଶାଳୟକୁ ଦେଇଥିବା ସୂଚନା ମିଳିଛି। ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। କେବଳ ଯାଜପୁର ଜିଲ୍ଲା ନୁହେଁ, ନିକଟରେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ କୋଣାର୍କସ୍ଥିତ ସରକାରୀ ଆୟୁର୍ବେଦିକ ଡିସ୍‌ପେନସାରିରେ ଚଢ଼ଉ ସମୟରେ ଡାକ୍ତର ଡ୍ୟୁଟି କରୁ ନଥିବା ନଜରକୁ ଆସିଥିଲା। ଏ ସଂକ୍ରାନ୍ତରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ନିର୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ଆୟୁଷ ନିର୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ଆୟୁଷ ଡିସ୍‌ପେନସାରିରେ ଦିଆଯାଉଥିବା ବିଭିନ୍ନ ସେବାର ଯାଞ୍ଚ ପାଇଁ ଏହି ଟିମ୍ ଗଠନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ କେବଳ ଆୟୁଷ ଡାକ୍ତରଙ୍କ ଡ୍ୟୁଟି ପାଇଁ ଏହି ଟିମ୍ ଗଠନ କରାଯାଇ ନ ଥିବା ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର