ପକ୍ଷୀମାନଙ୍କ ପାଇଁ ଆଗକୁ ଆସିଲା ଟିମ୍ ହ୍ୟୁମାନିଟି

ଫୁଲବାଣୀ: ପ୍ରଚଣ୍ତ ଖରାରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଆକାଶରେ ଉଡ଼ୁଥିବା ନିରୀହ ପକ୍ଷୀଙ୍କ କଥା ପଚାରେ କିଏ। ଚାରିଆଡେ ନଦୀ, ନାଳ  ଓ ଚୁଆ ଆଦି ଶୁଖିଲା ପଡ଼ିଥିବାରୁ ପକ୍ଷୀମାନେ ଖାଦ୍ୟ ଆଉ ପାଣି ଅଭାବରୁ ଅନେକ ମୃତ୍ୟୁମୁଖରେ ପଡୁଥିବା ଦେଖି ସେମାନଙ୍କର ଜୀବନ ରକ୍ଷା କରିବା ପାଇଁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି କନ୍ଧମାଳର ଟିମ୍ ହ୍ୟୁମାନିଟି। ବିପଦରେ ପଡ଼ୁଥିବା ଲୋକଙ୍କୁ ସହାୟତା ଯୋଗାଇ ଆସୁଥିବା ଟିମ୍ ହ୍ୟୁମାନିଟି ଏବେ ଆଉ ପାଦେ ଆଗେଇ ଆସି ପଶୁ ଓ ପକ୍ଷୀଙ୍କ ଜୀବନରକ୍ଷା ପାଇଁ ନେଇଛି ଭିନ୍ନ ପଦକ୍ଷେପ। ଆଜି ଖୋଦ୍‌ ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ପକ୍ଷୀବାସ କରୁଥିବା ଗଛ ଚିହ୍ନଟ ସହିତ ଯେଉଁ ସ୍ଥାନରେ ପାଣିର ବ୍ୟବସ୍ଥା ଅଛି ସେହି ସବୁ ସ୍ଥାନ ମାନଙ୍କରେ ଏକ ସ୍ବତନ୍ତ୍ର ବସା ତିଆରି କରାଯାଇ ଗଛ ଉପରେ ଓ ଅନ୍ୟ କେତେକ ସ୍ଥାନରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଫଳରେ ସେମାନେ ଜୀବନ ରକ୍ଷା କରିପାରିବେ ବୋଲି କହିଛନ୍ତି ଟିମ୍‌ର ସଦସ୍ୟ।
ଟିମ୍‌ର ଆବାହକ ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ଆଜି ଏହି ଭିନ୍ନ ପ୍ରୟାସ କରାଯାଇଥିବା ବେଳେ ଏଥିରେ ବହୁ ସଦସ୍ୟ ସାମିଲ୍ ହୋଇଥିଲେ। ଏହା ପୂର୍ବରୁ ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପଦକ୍ଷେପ ନେବା,  ଅସହାୟଙ୍କୁ ସହଯୋଗର ହାତ ବଢାଇବା  ଓ ଶବଦାହ କରିବା, କରୋନା ସତର୍କତା ସମ୍ପର୍କରେ ସଚେତନ କରିବା, ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବା, ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରିବା, ରାସ୍ତାରେ ଘୁରୁ ବୁଲିଥିବା ମାନସିକ ବିକୃତଙ୍କୁ ସହଯୋଗ କରିବା ବନ୍ୟା,ବାତ୍ୟା ଓ ଘରପୋଡ଼ି ଘଟିଲେ ସେ ସ୍ଥାନରେ ପହ‌ଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଏବେ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ନିଶ୍ଚିତ ଖୁସିର ବିଷୟ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ରାସ୍ତାରେ ବୁଲୁଥିବା ପଶୁ ମାନଙ୍କ ପାଇଁ ମଧ୍ୟ କିଛି ନୂତନ ଯୋଜନା ପାଇଁ ପଦକ୍ଷେପ ନିଆ ଯାଉଥିବା ସକ୍ରିୟ ସଭ୍ୟ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର