ଫୁଲବାଣୀ: ଭଉଣୀ କୌଣସି କାରଣରୁ ଆତ୍ମହତ୍ୟା କଲା। ହେଲେ ଶବ ସତ୍କାର କରିବାକୁ ଗରୀବ ଭାଇ ଅକ୍ଷମ। ଏଭଳି ସ୍ଥଳେ କନ୍ଧମାଳର ଜଣାଶୁଣା ସାମାଜିକ ସେବା ସଂଗଠନ ଟିମ ହ୍ୟୁମାନିଟ୍ ମାନବିକତା ଦେଖାଇ ଯୁବତୀଙ୍କ ଶବ ସତ୍କାର କରିଛି। ଏଥି ନିମନ୍ତେ ଟିମ ହ୍ୟୁମାନିଟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ମିଳିଥିବା

Advertisment

ସୂଚନା ଅନୁଯାୟୀ ଟିକାବାଲି ପାତ୍ର କଲୋନୀର ମୁନା ସାହୁଙ୍କ ଭଉଣୀ ମମି ସାହୁ (୨୨) ଗତକାଲି ସକାଳେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏଠାରେ ଶବ ବ୍ୟବଛେଦ ପରେ ଭଉଣୀ ମମିର ମୃତଦେହକୁ ଭାଇ ମୁନାକୁ ହସ୍ତାନ୍ତର କରି ଦିଆଯାଇଥିଲା। ମୃତ ଦେହ ଗାଡି କରି ଘରକୁ ନେବା ପାଇଁ ମୁନାଙ୍କ ପାଖରେ ଟଙ୍କାଟିଏ ନଥିଲା। କାରଣ ସେ ମୁଲଲାଗି ପରିବାର ଚଳାଇଥାନ୍ତି। ଆଉ ଯଦିଓ କୌଣସି ଉପାୟରେ ଭଉଣୀର ମୃତ ଦେହକୁ ଘରକୁ ନେଉଛି ତାହା ହେଲେ ସତ୍କାର କରିବାକୁ ମଧ୍ୟ ସମ୍ବଳ ନଥିଲା। କଣ କରିବେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଭାବୀ ମୁନା ଏଭଳି ଚିନ୍ତା କରି ଭଉଣୀର ମୃତ ଦେହ ପାଖରେ ବସି ମୁନା ବାହୁନି କାନ୍ଦୁଥିବା ଖବର ଟିମ ହ୍ୟୁମାନିଟ ସଦସ୍ୟଙ୍କ ପାଖରେ ପହଞ୍ଚିଥିଲା। ତାପରେ ଟିମ ହ୍ୟୁମାନିଟର ବହୁ ସଦସ୍ୟ ସେଠାରେ ପହଞ୍ଚି ମାନବିକତା ଦେଖାଇ ଶବ ସତ୍କାର ପାଇଁ  ଆଗେଇ ଆସିଥିଲେ। ଶବ ସତ୍କାର ପାଇଁ ଆବଶ୍ୟକ ଜିନିଷ ସାମଗ୍ରୀ ଯୋଗାଡ କରି ଥିଲେ। ତାପରେ ନାରା୍ରଣୀ ମନ୍ଦିର ସ୍ମଶାନଘାଟକୁ ନେଇ  ହିନ୍ଦୁ ରୀତିନୀତି ଅନୁଯାୟୀ ମୃତ ମମି ସାହୁଙ୍କର ଶବ ସତ୍କାର କରିଥିଲେ। ଭାଇ ମୁନା ଓ ଗାଁର ଆଉ ୨ ଜଣ ଉପସ୍ଥିତ ଥିଲେ। ମାନବିକତା ଦେଖାଇ ଭଉଣୀର ଶବ ସତ୍କାର କରିଥିବା ଟିମ ହ୍ୟୁମାନିଟର ସଦସ୍ୟମାନଙ୍କୁ ମୁନା ଧନ୍ୟବାଦ ଜଣାଇଥିଲେ।