ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱରେ ପଟ୍ଟନାୟକିଆ ଛକ ନିକଟରେ ଥିବା ‘ଟିମ୍‌ ଯାଯାବର’କୁ ଏକ ସାଂସ୍କୃତିକ ହବ୍‌ରେ ପରିଣତ କରାଯିବ। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ଏଠାରେ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏହା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ‘ଟିମ୍‌ ଯାଯାବର’ ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହାକୁ ପରିଚାଳନା କରୁଥିବା ସଂସ୍ଥା ‘ଟିମ୍‌ ଆଡ୍‌ମାର୍କ ଇନ୍‌ଫ୍ରାକନ୍‌’ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକ୍‌ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହ୍ଲାଦ ଘଟୁଆରୀ, ଧ୍ରୁବ ଚରଣ ଦାସ, ସ୍ଥାନୀୟ ସରପଞ୍ଚ ଅଜୟ ବେହେରା, ପୂର୍ବତନ ସରପଞ୍ଚ ବଦ୍ରି ବନ୍ଧୁ ମହାପାତ୍ର ଓ ସମାଜସେବୀ ଲୋରା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଟିମ୍‌ ଯାଯାବରର ଓଏସ୍‌ଡି ବିଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପତାକା ଉତ୍ତୋଳନ ପରେ ‘ବନ୍ଦେ ମାତରମ୍‌’ ଶୀର୍ଷକ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଠ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ଓ ସାଥୀମାନେ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାର ବିଚାରକ ଥିଲେ ଚିନ୍ତାମଣି ବିଶ୍ୱାଳ ଓ ନମସ୍ୟା ନାୟକ। ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ପାର୍ଶ୍ୱରେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସୁବିଧା ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ‘ଯାଯାବର’କୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ ଟିମ୍‌ ଆଡ୍‌ମାର୍କ ଇନ୍‌ଫ୍ରାକନ୍‌କୁ ଦାୟିତ୍ୱ ଦିଆଯାଇଛି। ଏବେ ଏଠାରେ ଦୁଇଟି ଏସି ରେସ୍ତୋରାଁ, ଫାଷ୍ଟ୍‍ ଫୁଡ୍‌, ସମ୍ମିଳନୀ କକ୍ଷ, ଖୋଲା ମଞ୍ଚ ଓ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଟଏଲେଟ୍‌ ରହିଛି।