କୋଭିଡ୍‌ ହସ୍ପିଟାଲ ତଦାରଖ ପାଇଁ ଗଠନ ହେଲା ଟିମ୍

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆକ୍ରାନ୍ତଙ୍କୁ ଯେପରି ଗୁଣାତ୍ମକ ଚିକିତ୍ସା ମିଳିବ, ହସ୍ପିଟାଲରେ ଯେପରି ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ, ସେଥିପାଇଁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌ ହସ୍ପିଟାଲ ତଦାରଖ ପାଇଁ ଆଜି ରାଜ୍ୟସ୍ତରୀୟ ଟିମ୍ ଓ ମେଡିକାଲ କଲେଜସ୍ତରୀୟ ଟିମ୍ ଗଠନ ହୋଇଛି। ଏହି ଟିମ୍ କେଉଁ କୋଭିଡ୍‌ ହସ୍ପିଟାଲରେ ସାଧାରଣ ଶଯ୍ୟା, ଆଇସିୟୁ, ଏଚ୍‌ଡିୟୁ ଶଯ୍ୟା କେତେ ବଢ଼ିବା ଦରକାର, କେମିତି ଚିକିତ୍ସା‌ ମିଳୁଛି, ତାହାର ତଦାରଖ କରିବେ।

ରାଜ୍ୟସ୍ତରୀୟ ଟିମ୍‌‌ରେ ଜନସ୍ବାସ୍ଥ୍ୟ (ସ୍ବତନ୍ତ୍ର ସଚିବ) ଅଧ୍ୟକ୍ଷ ଥିବା ବେଳେ ଏଥିରେ ଜିଲ୍ଲା ଟ୍ୟାଗ୍ ହୋଇଥିବା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପଲ୍‌ମୋନାରି ମେଡିସିନ୍ ବିଭାଗର ପ୍ରଫେସର ଓ ଏଚ୍‌ଓଡି, ମାଇକ୍ରୋବାଇଓଲୋଜି ବିଭାଗର ପ୍ରଫେସର୍‌ ଓ ଏଚ୍‌ଓଡି, ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର୍‌ ଓ ଏଚ୍‌ଓଡି ସଦସ୍ୟ ରହିବେ। ସେହିପରି ମେଡିକାଲ କଲେଜସ୍ତରୀୟ ଟିମ୍‌ରେ ପଲ୍‌ମୋନାରି ମେଡିସିନ୍ କିମ୍ବା ମେଡିସିନ୍ ବିଭାଗର ଅଧ୍ୟାପକ, ମାଇକ୍ରୋ ବାଇ‌ଓଲୋଜି ବିଭାଗର ଅଧ୍ୟାପକ, ଆନାସ୍ଥେସିଓଲୋଜି ବିଭାଗର ଅଧ୍ୟାପକ ରହିବେ। ମେଡିକାଲ କଲେଜସ୍ତରୀୟ ଟିମ୍‌ରେ କେଉଁ ଅଧ୍ୟାପକ ରହିବେ, ତାହା ସଂପୃକ୍ତ ମେଡିକାଲ କଲେଜର ଡିନ୍ ଏବଂ ଅଧ୍ୟକ୍ଷ ସଂପୃକ୍ତ ବିଭାଗର ସୁପରିନଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ।

ଏହି ଟିମ୍‌ ସରକାରୀ ଓ ଘରୋଇ କୋଭିଡ୍‌ ହସ୍ପିଟାଲ ଗସ୍ତ କରିବା ସମୟରେ ସଂପୃକ୍ତ ହସ୍ପିଟାଲର ମେଡିକାଲ ଅଫିସର୍‌ ଉପସ୍ଥିତ ରହିବେ। ହସ୍ପିଟାଲରେ ସଙ୍ଗରୋଧ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ପିପିଇ କିଟ୍‌ ପିନ୍ଧି ଚିକିତ୍ସା ହେଉଛି କି ନାହିଁ, ବାଇଓମେଡିକାଲ ବର୍ଜ୍ୟ ଠିକ୍‌ ଭାବେ ନଷ୍ଟ ହେଉଛି କି ନାହିଁ, ସଂକ୍ରମଣ କମିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି, ଖାଦ୍ୟର ମାନ କିପରି ଅଛି, ଅମ୍ଳଜାନ, ପିପିଇ କିଟ୍, ଔଷଧ ଆଦି ପର୍ଯ୍ୟାପ୍ତ ଅଛି କି ନାହିଁ, ମୃତଦେହ କିପରି ଛଡ଼ାଯାଉଛି ଆଦି ବ୍ୟବସ୍ଥା ଯାଞ୍ଚ କରିବେ। ଏସବୁ ବାଦ୍ ଗାଇଡ୍‌ଲାଇନ୍ ଅନୁଯାୟୀ, ଚିକିତ୍ସା ଯୋଗାଯାଉଛି କି ନାହିଁ ଏବଂ ଆକ୍ରାନ୍ତ ଚିକିତ୍ସା ବ୍ୟବସ୍ଥାରେ ସନ୍ତୁଷ୍ଟ କି ନୁହେଁ, ତାହା ଟିମ୍ ଦେଖିବ। ଟିମ୍ ସମସ୍ତ ପରିଦର୍ଶନର ରିପୋର୍ଟ କଲେଜର ଡିନ୍‌ଙ୍କ ମାଧ୍ୟମରେ ଡିଏମ୍‌ଇଟିଙ୍କ ପାଖକୁ ପଠାଇବ। ଏହାପରେ ମେଡିକାଲସ୍ତରୀୟ ଟିମ୍‌ର ମତାମତ ଓ ରିପୋର୍ଟକୁ ଭିତ୍ତି କରି ରାଜ୍ୟସ୍ତରୀୟ ଟିମ୍ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବେ। ଏହି ଟିମ୍‌ର ସମସ୍ତ ଗସ୍ତ ଖର୍ଚ୍ଚ ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ବହନ କରିବେ।

ଏସ୍‌ସିବି ମେଡିକାଲ କଲେଜ ପକ୍ଷରୁ ଗଠନ ହେବାକୁ ଥିବା ଟିମ୍ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାକୁ ଯିବେ। ଏମ୍‌କେସିଜି ମେଡିକାଲ କଲେଜ ଟିମ୍ ବୌଦ୍ଧ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାକୁ ଯିବେ। ଭୀମ୍‌ସାର ଟିମ୍‌ ଅନୁଗୁଳ, ବଡ଼ଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼କୁ ଯିବେ। ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜ ଟିମ୍ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାକୁ ଯିବେ। ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଟିମ୍ କେନ୍ଦୁଝର ଓ ମୟୂରଭଞ୍ଜ, ଏଫ୍‌ଏମ୍‌ ମେଡିକାଲ କଲେଜ ଟିମ୍ ବାଲେଶ୍ବର ଓ ଭଦ୍ରକ, ବଲାଙ୍ଗୀରସ୍ଥିତ ବିବି ମେଡିକାଲ କଲେଜ ଟିମ୍ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୋନପୁର ଜିଲ୍ଲାରେ ତଦାରଖ କରିବେ।

ସମ୍ବନ୍ଧିତ ଖବର