କଟକ: ବାରବାଟୀ-କଟକ ବିଜେଡି ପକ୍ଷରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଓ ତାଙ୍କୁ ସମର୍ଥନ କରି ଆସୁଥିବା ଅନେକ କର୍ପୋରେଟରଙ୍କ ଅନୁପସ୍ଥିତି ଦଳ ଭିତରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ପୁଣି ଥରେ ପଦାରେ ପକାଇ ଦେଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, କଟକ ଲୋକସଭାରୁ ବିଜେଡିର ପ୍ରାର୍ଥୀ ଥିବା ତଥା ଦଳର ମୁଖ୍ୟଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର, ଯିଏ ଦଳ ଛାଡ଼ି ଚାଲିଗଲେ ବି ଦଳର କ୍ଷତି ହେବାର ନାହିଁ ବୋଲି ଦେଇଥିବା ବୟାନ ଆଗକୁ ରାଜନୈତିକ ବୟାନବାଜିକୁ ହାୱା ଦେଇଛି। କଟକ ଟାଉନହଲ୍ରେ ନବୀନଙ୍କ ଜନ୍ମଦିନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବାଶିଷ, ସନ୍ତୃପ୍ତଙ୍କ ସହିତ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, କଟକ ନଗର ସଭାପତି ମଧୁସୂଦନ ସାହୁ, ଡକ୍ଟର ରଞ୍ଜନ ବିଶ୍ବାଳ, ଡକ୍ଟର ମହମ୍ମଦ ଆୟୁବଙ୍କ ସମେତ ଅନେକ ଯୁବ, ଛାତ୍ର ନେତା, କର୍ପୋରେଟର ଓ କର୍ମୀ ଯୋଗ ଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଓ ଅନେକ କର୍ପୋରେଟରଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ଯାଉଥିଲା।
ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ମେୟର, ସମର୍ଥକ କର୍ପୋରେଟର ଅଲୋଡ଼ା!
ଯିଏ ଦଳ ଛାଡ଼ିଲେ ବି କ୍ଷତି ହେବନି ବୋଲି କହିଲେ ଦେବାଶିଷ ଓ ସନ୍ତୃପ୍ତ
ପାଣ୍ଡିଆନ ଆମ ନେତା ନଥିଲେ, ନବୀନ ବାବୁ ନେତା, ଯାହା କହିବା
କଥା ତାଙ୍କୁ କୁହନ୍ତୁ: ଦେବାଶିଷ
ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମକୁ ଉତ୍ତର ଦେବାକୁ ଯାଇ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦୁଇ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ପ୍ରସାଦ ଶତପଥୀଙ୍କୁ ସମାଲୋଚନା କରିଥିଲେ। ଦେବାଶିଷ କହିଥିଲେ ଯେ ଦୁଇ ନେତା ଦଳରୁ ଅନେକ ସୁବିଧାସୁଯୋଗ ପାଇଛନ୍ତି। ସେମାନେ ଟିକେଟ ପାଇଲେନି ବୋଲି ବର୍ତ୍ତମାନ ବିଭିନ୍ନ ବ୍ୟକ୍ତିଙ୍କୁ ସମାଲୋଚନା କରି ବୟାନ ଦେବା ଠିକ ହେଉନାହିଁ। ବରଂ ସେମାନେ ଲୋକଙ୍କ ପାଖରେ ନିନ୍ଦିତ ହେଉଛନ୍ତି। ପାଣ୍ଡିଆନ କେବେ ଆମର ନେତା ନଥିଲେ। ନବୀନ ପଟ୍ଟନାୟକ ହେଉଛନ୍ତି ଆମର ନେତା। ତେଣୁ ସେମାନେ ଯାହା କହିବା କଥା ନବୀନ ପଟ୍ଟନାୟକଙ୍କୁ କୁହନ୍ତୁ ବୋଲି ଦେବାଶିଷ କହିଛନ୍ତି।
ସେହିଭଳି ସନ୍ତୃପ୍ତ କହିଛନ୍ତି ଯେ ଯିଏ ଦଳ ଛାଡ଼ି ଯିବା କଥା ଯାଆନ୍ତୁ। ବିଜେପି ଯଦି ପାରୁଛି ଗାଡ଼ି ଲଗାଇ ବିଜେଡିରୁ ଯାହାକୁ ନେବା କଥା ନେଇଯାଉ। ଯିଏ ବି ଦଳ ଛାଡ଼ୁଛନ୍ତି, ସବୁ ବ୍ୟକ୍ତିଗତ ସ୍ବାର୍ଥରୁ ଦଳ ଛାଡୁଛନ୍ତି। ତେଣୁ ଏଥିରେ ବିଜେଡିର କୌଣସି କ୍ଷତି ହେବାର ନାହିଁ। ଗୋଟିଏପଟେ ବାରବାଟୀ-କଟକରେ ଦଳର ବରିଷ୍ଠ ନେତୃବୃନ୍ଦ ନିର୍ବାଚନ ପରାଜୟ ପରେ ବି ଏକାଠି ହୋଇ ପାରୁ ନଥିବା ବେଳେ ଅନ୍ୟପଟେ ବରିଷ୍ଠ ନେତାମାନଙ୍କ ଏଭଳି ବୟାନବାଜି କର୍ମୀଙ୍କୁ ହତାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/17/8mAxpdlyxFOwODVR0ia1.jpg)