ମାନସଙ୍କ ମା’, ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ: ୮୦ ହଜାର ଋଣ କରି ମା’ କିଣି ଦେଇଥିଲେ କ୍ୟାମେରା, ମାଡାମ୍‌ ରାଗିକି କ୍ୟାମେରା ଭାଙ୍ଗି ଦେଇଥିଲେ

ନୟାଗଡ଼: ଗରିବ ପରିବାର ହୋଇଥିବାରୁ ଗୋଟେ କ୍ୟାମେରା କିଣିବା ପାଇଁ ସକ୍ଷମ ହୋଇନଥିଲେ ମାନସ ସ୍ବାଇଁ। ଏଥିପାଇଁ ମା’ ତାଙ୍କର ସ୍ବୟଂ ସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା ଋଣ ଆଣିଥିଲେ। ହେଲେ, କୌଣସି କାରଣ ପାଇଁ ମାଡାମ୍‌ (ଅଭିଯୁକ୍ତା ସାମ୍ବାଦିକା ଶର୍ମିଷ୍ଠା ରାଉତ) ରାଗିକି ସେହି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଏବେ ପୁଅ ନାହିଁ କି କ୍ୟାମେରା ନାହିଁ । ଆଜି ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ପଞ୍ଚାୟତ ଗୋଡ଼ିପୋଖରୀ ଗ୍ରାମରେ ତାଙ୍କର ଏକାଦଶାହ କର୍ମ ସମ୍ପନ୍ନ ହେଉଥିବାବେଳେ ଅତ୍ୟନ୍ତ କୋହଭରା କଣ୍ଠରେ ଏହା କହିଛନ୍ତି ମା’ ଜୟନ୍ତୀ ସ୍ବାଇଁ।

ମୃତ ମାନସଙ୍କ ପରିବାରରେ ଅଛନ୍ତି ମାନସଙ୍କ ମା’ ଜୟନ୍ତୀ ସ୍ବାଇଁ, ବାପା ପଞ୍ଚାନନ, ସ୍ତ୍ରୀ ଯମୁନା ସ୍ବାଇଁ , ଭଉଣୀ ଓ ଗୋଟେ ଛୋଟ ପୁଅ । ରୋଜଗାରିଆ ପୁଅକୁ ହରାଇ ପରିବାର ହତବାକ୍‌ ହୋଇପଡ଼ିଛନ୍ତି। ଫେବ୍ରୁଆରି ୫ରେ ପୁଅ ଘରୁ ଭଦ୍ରକ ଏକ ବାହାଘରର ସୁଟିଂ କରିବା ନିମନ୍ତେ ବାହାରିଯିବା ବେଳେ ଶେଷ ଦେଖାହୋଇଥିଲା। ସେଇଟା ଶେଷ ‌ଦେଖା ହେବ ବୋଲି ଜାଣି ନଥିବା ମା’ କାନ୍ଦି କାନ୍ଦି କହିଛନ୍ତି। ଭୁବନେଶ୍ବରରେ ମାନସ ଅନ୍ୟମାନଙ୍କ ନିକଟରେ ରହି ଭିଡିଓ ସୁଟିଂ କରୁଥିବାବେ‌ଳେ, ଏଥିରୁ ମିଳୁଥିବା ପାରିଶ୍ରମିକ ତାଙ୍କୁ ସୁହାଉ ନଥିଲା। ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଥିଲା। ଫଳରେ, ଗତ ନଭେମ୍ବର ମାସ‌ରେ ମାନସ ଏକ ନିଜସ୍ବ କ୍ୟାମେରା କିଣିଥିଲେ। ଏଥିପାଇଁ ମା’ ଜୟନ୍ତୀ ସ୍ବୟଂସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା ଋଣ ଆଣି ପୁଅକୁ ଦେଇଥିଲେ। ଯେଉଁଥିରୁ ମାତ୍ର ୪ ହଜାର ଟଙ୍କା କିସ୍ତି ଶୁଝିଥିବା ମା’ ଜୟନ୍ତୀ କହିଛନ୍ତି।

ଜାନୁଆରି ମାସର ପ୍ରଥମ ସପ୍ତାହରେ କ୍ୟାମେରା କିଣାଯାଇଥିବା ବେଳେ, ଶେଷ ସପ୍ତାହ ବେଳକୁ ଏହା ହାତରୁ ପଡ଼ି ଭାଙ୍ଗି ଯାଇଥିବା ମାନସ କହିଥିଲେ। ଯାହା ପରିବାରର ବିଶ୍ବାସଯୋଗ୍ୟ ‌ହେଉନଥିଲା। ତେବେ ଏହା ହାତରୁ ପଡ଼ିନୁହେଁ, ରାଗିକି ମାଡାମ୍‌ (ଅଭିଯୁକ୍ତ ସାମ୍ବାଦିକା ଶର୍ମିଷ୍ଠା ରାଉତ) ଭାଙ୍ଗି ଦେଇଥିବା ଏବ‌େ ଜାଣିବାକୁ ପାଇଲୁ ବୋଲି ମାନସଙ୍କ ମା’ କହିଛନ୍ତି। ଗତ ୩ ମାସ ହେବ ମାନସ ପ୍ରାୟ ମାନସିକ ଚାପରେ ରହୁଥିବା, ସାମାନ୍ୟ କଥାରେ ପରିବାର ଲୋକଙ୍କ ଉପରେ ବିରକ୍ତ ହେଉଥିବା, ସ୍ତ୍ରୀ ଓ ମା’ ଜୟନ୍ତୀ କହିଛନ୍ତି। କିନ୍ତୁ ସେ କାହିଁକି ବିରକ୍ତ ହେଉଥିଲେ, ସେ ବିଷୟରେ କିଛି କହୁନଥି‌ଲେ। ଏପରିକି ତାଙ୍କୁ କେହି ଧମକଚମକ ଦେବା, ତାଙ୍କ ହତ୍ୟା ପଛରେ ଥିବା ମେମୋରି ଚିପ୍ ସମ୍ପର୍କରେ ମଧ୍ୟ ସେ ପରିବାର ଲୋକଙ୍କ ସହିତ କେବେ କିଛି ଆଲୋଚନା କରିନଥିବା ମା’ ଓ ସ୍ତ୍ରୀ କହିଛନ୍ତି।

ମାନସଙ୍କର ଏକ ସାଧାରଣ ଚାଷୀ ପରିବାର ହୋଇଥିବାବେଳେ ସେ ଜଣେ ଶାନ୍ତସରଳ ସ୍ବଭାବର ଯୁବକ ଥିଲେ। ନବମ ‌ଶେଣୀ ପର୍ଯ୍ୟନ୍ତ ପଢିଥିଲେ। ଫଟୋ ଉଠାଇବା, ଭିଡିଓ ସୁଟିଂରେ ତାଙ୍କର ସଉକ ଥିବାରୁ ସେ ଏହାକୁ ବୃତ୍ତି ଭାବେ ବାଛି ନେଇଥିଲେ। ସାନ ଭାଇ ରାକେଶ (୨୫) ଗାଁରେ କାମଧନ୍ଦା କରନ୍ତି। ପ୍ରାୟ ୨୦୧୩ ମସିହାରୁ ମାନସ ଭୁବନେଶ୍ବର ଆସୁଥି‌ଲେ। କେବେ କେମିତି ଭୁବନେଶ୍ବରରେ ରହିଯାଉଥିବା ବେଳେ, ପ୍ରାୟ ସମୟ ଗାଁରୁ ଭୁବନେଶ୍ବର ଯିବା ଆସିବା କରୁଥିଲେ। ମାନସ ଚାଲିଯିବା ପରେ ତାଙ୍କ ଛୋଟ ପୁଅକୁ କିଭଳି ମଣିଷ କରିବୁ, ପରିବାର କିଭଳି ଚଳାଇବୁ ବୋଲି ମା’ ଆକୁଳ କଣ୍ଠରେ ନିଜକୁ ପ୍ରଶ୍ନ କରିଛନ୍ତି। ମାନସଙ୍କୁ ଯିଏ ମାରିଛି, ଭଗବାନ ତା’ କଥା ବିଚାର କରିବେ ବୋଲି ପରିବାର ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର