ନିହାର ରଞ୍ଜନ ବେହେରା
କୁଳିଅଣା: ସୁବର୍ଣ୍ଣରେଖା ନଦୀର ଜଳକୁ କୃଷି କ୍ଷେତ୍ରରେ ଉପଯୋଗ କରିବା ପାଇଁ ଆରମ୍ଭ ହୋଇଥିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ। ଏବେ ଏହି ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧ ଲକ୍ଷ ୯ ହଜାର ୬୨୭ ହେକ୍ଟର ଜମିକୁ ଜଳସେଚନ ହେଉଛି। ଏଥିପାଇଁ ୪୬.୫୦ କିମି ସୁବର୍ଣ୍ଣରେଖା ମୁଖ୍ୟ କେନାଲ, ୨୬.୨୬ କିମି ବେତନଟୀ ଶାଖା କେନାଲ, ୮୨.୪୬ କିମି ଜମ୍ଭୀରା ବାମ ପାର୍ଶ୍ୱ ମୁଖ୍ୟ କେନାଲ, ୨୪.୭୮ କିମି ଜମ୍ଭୀରା ଦକ୍ଷିଣ ପାର୍ଶ୍ୱ ମୁଖ୍ୟ କେନାଲ ନିର୍ମାଣ ହୋଇଛି। ଏହି ପ୍ରକଳ୍ପ ଅଧୀନରେ ହଳଦିଆ ଓ ଜମ୍ଭୀରାରେ ଜଳଭଣ୍ଡାର ନିର୍ମାଣ କରାଯାଇ ପାଣିକୁ ଗଚ୍ଛିତ ରଖି ଶାଖା କେନାଲ ମାଧ୍ୟମରେ ଛଡ଼ାଯାଉଛି। ତେବେ ଲକ୍ଷ ଲକ୍ଷ ଚାଷୀଙ୍କୁ ବଳ ଦେଉଥିବା ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୧୦୫୨ ପରିବାର ଆଖିରୁ କିନ୍ତୁ ଲୁହ ଶୁଖୁନି। ବର୍ଷ ବର୍ଷ ଧରି ଆନ୍ଦୋଳନ ଚଳାଇଥିଲେ ବି ସେମାନେ ନିଜ ହକ୍ରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।
ଜମ୍ଭୀରା ଜଳଭଣ୍ଡାର ପାଇଁ ଭିଟାମାଟି ହରାଇଥିଲେ ୧୦୫୨ ପରିବାର
୨୫ ବର୍ଷ ପରେ ବି ମିଳୁନି ଉପଯୁକ୍ତ କ୍ଷତିପୂରଣ
ହକ୍ ପାଇଁ ଲଢ଼େଇ ଜାରି ରଖିଛି ‘ବୁଡ଼ି ସଂଘର୍ଷ ସମିତି’
୨୦୦୭ ମସିହାରେ କୁଳିଅଣା ଓ ଶୁଳିଆପଦା ବ୍ଲକ୍ ସମୀନ୍ତବର୍ତ୍ତୀ ଦେଉଳିଠାରେ ଜମ୍ଭୀରା ଜଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିଲା। ଏହି ଜଳଭଣ୍ଡାର ପାଇଁ ଉଭୟ ବ୍ଲକ୍ର ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। କିଏ ନିଜ ଘର ସହ ଭିଟାମାଟି ହରାଇଥିଲା ତ’ ଆଉ କିଏ ଚାଷଜମି। ପର୍ଯ୍ୟାୟକ୍ରମେ ସେଥିରୁ ସିଂହଭାଗ ଲୋକେ କ୍ଷତିପୂରଣ ପାଇ ସାରିଛନ୍ତି। ୧୯୯୪ ମସିହା ଥଇଥାନ ଆଇନ୍ ଅନୁଯାୟୀ ୧୩୫୨ ଜଣଙ୍କୁ ୨୦୧୦ ମସିହାରେ ସରକାରୀ ସହାୟତା ମିଳିଥିଲା। ସେହିପରି ୨୦୦୦ ମସିହା ଥଇଥାନ ଆଇନ୍ ଅନୁଯାୟୀ ୨୦୧୨ରେ ଆଉ ୫୭୭୮ଜଣଙ୍କୁ କ୍ଷତିପୂରଣ ମିଳିଥିଲା। ତେବେ ୩୬ଖଣ୍ଡ ଗାଁର ୧୦୫୨ ପରିବାର ଏବେ ବି ନିଜ ହକ୍ ପାଇନାହାନ୍ତି। ଏହି ସମସ୍ତ ପରିବାର ୪ ବର୍ଷ ତଳେ ନାଁକୁ ମାତ୍ର ଅଳ୍ପକିଛି କ୍ଷତିପୂରଣ ପାଇଥିଲେ। ହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ସହ ପ୍ରତି ପରିବାରର ୧୮ ବର୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ଅଲଗା ପରିବାର ଭାବେ ଗ୍ରହଣ କରି କ୍ଷତିପୂରଣ ପ୍ରଦାନ, ପ୍ରତିଶ୍ରୁତି ଅନୁଯାୟୀ ୨ ଏକର ଚାଷ ଜମି ଓ ପରିବାରରୁ ଜଣଙ୍କୁ ଚାକିରି ପାଇଁ ବହୁବର୍ଷ ହେଲା ଲଢ଼େଇ କରିଆସୁଛି ‘ଜମ୍ଭୀରା ବୁଡ଼ି ସଂଘର୍ଷ ସମିତି’।
ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ, ଜମ୍ଭୀରା ପ୍ରକଳ୍ପ ନିର୍ଦ୍ଦେଶକ, ଥଇଥାନ ଓ ପୁନର୍ବାସ ଅଧିକାରୀଙ୍କ ସହିତ ଏକାଧିକ ଥର ଆଲୋଚନା କଲାଣି ବୁଡ଼ି ସଂଘର୍ଷ ସମିତି। ହେଲେ ପ୍ରଶାସନ ପକ୍ଷରୁ ଦାବି ପୂରଣ ପାଇଁ ଠୋସ୍ ପଦକ୍ଷେପ ନିଆଯାଉନି। ଯଦିଓ ମାସକ ପୂର୍ବେ ଅନୁଷ୍ଠିତ ବୈଠକରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଥିଲା, ହେଲେ ସେ ଉଦ୍ୟମ କେତେବାଟ ଗଲା କିଛି ଜଣାପଡ଼ୁନି। ଏପଟେ ନିଜ ହକ୍ ନ ମିଳିବା ଯାଏଁ ଲଢ଼େଇ ଜାରି ରହିବ ବୋଲି ବୁଡ଼ି ସଂଘର୍ଷ ସମିତିର ସଭାପତି ଦୁର୍ଗାଚରଣ ମାରାଣ୍ଡି, ସମ୍ପାଦକ ରାମଚନ୍ଦ୍ର ସି ପ୍ରମୁଖ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/08/SoY9xEeJQymyw9gktsZp.jpg)