ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଗଠନ ହେବ ବୈଷୟିକ କମିଟି
ଡିଜାଇନ୍ ନେଇ ଦ୍ବନ୍ଦ୍ବରେ ଅଛି ବେସାମରିକ ବିମାନ ମନ୍ତ୍ରଣାଳୟ
ଭୁବନେଶ୍ବର : ଖୋର୍ଦ୍ଧା ନିକଟବର୍ତ୍ତୀ ଅଞ୍ଚଳରେ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରସ୍ତାବିତ ତିନିଟି ଜାଗା ମଧ୍ୟରୁ କେଉଁଠି ବିମାନବନ୍ଦର ହେବ ସେନେଇ ମନ୍ତ୍ରଣାଳୟ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇପାରୁନି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଲେ ସେଠାରେ କେତୋଟି ରନୱେ ରହିବ, ନୂଆ ବିମାନବନ୍ଦର ପାଇଁ କେତେ ଜମି ଆବଶ୍ୟକ ହେବ, ଭବିଷ୍ୟତରେ ସମ୍ପ୍ରସାରଣ କେଉଁ ଦିଗରେ ହେବ, ଏହି ବିମାନବନ୍ଦର ନିକଟରେ କ’ଣ କ’ଣ ସୁବିଧା ଉପଲବ୍ଧ ହେବ ତାହାକୁ ନଜରରେ ରଖି ଜମି ଚିହ୍ନଟ କରିବାକୁ ମନ୍ତ୍ରଣାଳୟ ଚାହୁଁଛି। ତେଣୁ ଏନେଇ ଏକ ବୈଷୟିକ କମିଟି ଗଠନ କରିବ। ଏହି କମିଟି ହିଁ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର କେଉଁଠି ହେବ, କେତେ ଜମି ଅଧିଗ୍ରହଣ ହେବ ସେନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟ ସଚିବ ରାଜୀବ ନାରାୟଣ ଚୌବେ , ଯୁଗ୍ମ ସଚିବ ଉଷା ପାଢ଼ୀ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଇଞ୍ଜିନିୟରିଂ ଟିମ୍, ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଭାଗ ନେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ଥିଲେ। ଏଥିରେ ବିଜୁ ପଟ୍ଟନାୟକ ବିମାନବନ୍ଦରର ସମ୍ପ୍ରସାରଣ ବିଷୟରେ ଆଲୋଚନା ହେବା ସହ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ବିଷୟରେ ଆଲୋଚନା ହୋଇଥିଲା।
ଏବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ କରାଯାଉଥିବାରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନନେଇ ନୂଆ ବିମାନବନ୍ଦରର ପରିକଳ୍ପନା କରିବାକୁ ନିଷ୍ପତ୍ତି ହୋଇଥିଲା। ମନ୍ତ୍ରଣାଳୟର ବୈଷୟିକ ଟିମ୍ କ୍ଷେତ୍ର ପରିଦର୍ଶନ କରି ନିଷ୍ପତ୍ତି ନେବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ବିମାନବନ୍ଦର ନିର୍ମାଣ ପାଇଁ ଯୋଜନା ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ନିକଟରେ ମଳିପଡ଼ା, ଟାଙ୍ଗିଆପଡ଼ା, ଜଙ୍କିଆ ଏବ˚ ବରସାହିର ପ୍ରସ୍ତାବ ଦିଆଯାଇଥିଲା। ଏଥିରେ କେନ୍ଦ୍ରୀୟ ଟିମ୍ର ପ୍ରଥମ ପସନ୍ଦ ଟାଙ୍ଗିଆପଡ଼ା ରହିଛି। କିନ୍ତୁ ଅଧିକ ଜମି ଆବଶ୍ୟକ ପଡ଼ିଲେ ଆଉ ଅନ୍ୟ ସ୍ଥାନକୁ ବିଚାରକୁ ନିଆଯାଇପାରେ ବୋଲି ଜଣାପଡ଼ିଛି। ଟାଙ୍ଗିଆପଡ଼ା ଓ ମଲ୍ଲୀପୁର ପଞ୍ଚାୟତର ପ୍ରାୟ ୧୪୯୮.୮୩୨ ଏକର ଜମିରେ ନୂଆ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆପାତତଃ ସ୍ଥିର ହୋଇଛି।