ଦୋହଲିଗଲାଣି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି

ଭୁବନେଶ୍ୱର : ଦୋହଲିଗଲାଣି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥିତି। ବିପିୟୁଟିଠାରୁ ଆରମ୍ଭ ବ୍ରହ୍ମପୁରସ୍ଥିତ ପିଏମ୍‌ଇସି ପର୍ଯ୍ୟନ୍ତ ସବୁଠି ସମସ୍ୟା। ଅନେକ ଶିକ୍ଷକ, ଅଣଶିକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଭିତ୍ତିଭୂମିକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। ରୁଷା ପକ୍ଷରୁ ଟଙ୍କା ମିଳୁଥିଲେ ମଧ୍ୟ ତାହା ବିନିଯୋଗ ହୋଇପାରୁ ନାହିଁ। ସରକାରୀ ଇଞ୍ଜିନିୟରିଂ କଲେଜର ଲାବୋରେଟାରି ଅବସ୍ଥା ଦୟନୀୟ ହୋଇପଡ଼ିଥିବାରୁ ନାକ୍‌ ମାନ୍ୟତା ପାଇଁ ବି ଆବେଦନ କରିପାରୁ ନାହାନ୍ତି କଲେଜ କର୍ତୃପକ୍ଷ। ୨ଟି ସରକାରୀ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ସମେତ ୭ଟି ଇଞ୍ଜିନିୟରିଂ କଲେଜ ଭିତ୍ତିଭୂମି କ୍ରମଶଃ ଖରାପ ହୋଇପଡ଼ୁଥିବାରୁ ସେଥିପ୍ରତି ଗୁରୁତ୍ୱ ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି), କେନ୍ଦୁଝର ଏବଂ ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ, କଟକସ୍ଥିତ ଆଇଏମ୍‌ଆଇଟି, ସରାଙ୍ଗସ୍ଥିତ ଆଇଜିଆଇଟିକୁ ଏ ପର୍ଯ୍ୟନ୍ତ ନାକ୍‌ ମାନ୍ୟତା ମିଳିପାରି ନାହିଁ। ଆବେଦନ ବି କରିନାହାନ୍ତି ସମ୍ପୃକ୍ତ କଲେଜ କର୍ତୃପକ୍ଷ। ତେଣୁ ଆସନ୍ତା ଦୁଇ ମାସ ମଧ୍ୟରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ମାନ୍ୟତା ଲାଗି ଆବେଦନ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ବିପିୟୁଟି ଅଧୀନରେ ଥିବା କଲେଜଗୁଡ଼ିକ କିଭଳି ନାକ୍‌ ମାନ୍ୟତା ପାଇବେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ସ୍ୱତନ୍ତ୍ର କର୍ମଶାଳା କରିବାକୁ ବିପିୟୁଟି କୁଳସଚିବଙ୍କୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ରୁଷାରୁ ଆସିଥିବା ଅର୍ଥ ଖର୍ଚ୍ଚର ବିନିଯୋଗ ଉପରେ ବିପିୟୁଟିକୁ କଡ଼ା ଚେତାବନୀ ଦେଇଛି ବୈଷୟିକ ଶିକ୍ଷା ବିଭାଗ। ରୁଷା ଯୋଜନାରେ ଆସିଥିବା ଅର୍ଥ ବିପିୟୁଟି ମୁଖ୍ୟ ଆକାଉଣ୍ଟକୁ ଆସିଛି। ତାହାକୁ ତୁରନ୍ତ ବିପିୟୁଟିର ରୁଷା ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ବିତ୍ତ ନିୟନ୍ତ୍ରକଙ୍କୁ କୁହାଯାଇଛି। ରୁଷାରୁ ଅର୍ଥ ପାଇଥିବା ସମସ୍ତ ସରକାରୀ କଲେଜ/ପ୍ରଫେସନାଲ ୟୁନିଭରସିଟି ରୁଷା ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲିବାକୁ ବି ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ସରକାରୀ କଲେଜ/ପ୍ର୍ରଫେସନାଲ କଲେଜଗୁଡ଼ିକ ଭିତ୍ତିଭୂମି ବିକାଶ ଲାଗି ୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଯେଉଁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ତାହାକୁ ନିର୍ଧାରିତ ସମୟରେ ଶେଷ କରିବାକୁ କୁହାଯାଇଛି। ଏଥିସହ ୬୦% କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପଗୁଡ଼ିକର ବିନିଯୋଗ ପ୍ରମାଣପତ୍ର(ୟୁସି) ତୁରନ୍ତ ଦାଖଲ କରନ୍ତୁ। ଫଳରେ ପରବର୍ତୀ ଅର୍ଥ ମିଳିବାରେ ଅସୁବିଧା ହେବ ନାହିଁ।

କେନ୍ଦୁଝର ଏବଂ ଭବାନୀପାଟଣା ସରକାରୀ ଇଞ୍ଜିନିୟରିଂ କଲେଜ(ଜିଇସି)ର ଲାବୋରେଟାରି ଅବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ଭିତ୍ତିଭୂମି ଠିକ୍‌ ନାହିଁ। ଏଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଉକ୍ତ ଦୁଇ କଲେଜ ସମେତ ବ୍ରହ୍ମପୁରସ୍ଥିତ ପିଏମ୍‌ଇସି ଏବଂ କଟକସ୍ଥିତ ଆଇଏମ୍‌ଆଇଟିକୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଓ୍ଵାଇଫାଇ କରାଯାଇପାରି ନାହିଁ। କ୍ୟାମ୍ପସରେ ଓ୍ଵାଇଫାଇ ଅଧପନ୍ତରିଆ ହୋଇ ପଡ଼ିରହିଛି। ବିପିୟୁଟି ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଏନେଇ ପ୍ରସ୍ତାବ ରଖିବାକୁ ବିଭାଗୀୟ ଶାସନ ସଚିବ ସଞ୍ଜୟ ସିଂ ନିର୍ଦେଶ ଦେଇଛନ୍ତି। ସିଇଟି ଅଧ୍ୟକ୍ଷ ପ୍ରଫେସର ପି.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ଓ୍ଵାଇଫାଇ ସଂଯୋଗ ସମସ୍ୟା ଦୂର ଦିଗରେ ପଦକ୍ଷେପ ଗ୍ରହଣ କରିବ।

କଲେଜଗୁଡ଼ିକୁ ଅନୁମତିପତ୍ର ଦେବା ପୂର୍ବରୁ ତାହାର ଭିତ୍ତିଭୂମି, ପାଠ୍ୟକ୍ରମ, ଲାଇବ୍ରେରି, ଲାବୋରେଟାରି ସମ୍ପର୍କରେ ପ୍ରତିବର୍ଷ ଯାଞ୍ଚ କରାଯିବା କଥା। କିନ୍ତୁ ଏବେ ଦେଖାଯାଉଛି କି ସେଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ବିପିୟୁଟି କର୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଉନାହାନ୍ତିି। ତେଣୁ ଏଣିକି ଦୁଇସ୍ତରୀୟ ଯାଞ୍ଚ କରିବା ଲାଗି ନିଷ୍ପତ୍ତି ହୋଇଛି। ବିପିୟୁଟି ପକ୍ଷରୁ ଏକ ଯାଞ୍ଚ କରାଯିବ। ଏଥିସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ନିଜ ଆଡ଼ୁ ଅଡିଟ୍‌ କରି ରିପୋର୍ଟ ପ୍ରଦାନ କରିବାକୁ କଡ଼ା ନିର୍ଦେଶ ଦେଇଛି ବୈଷୟିକ ଶିକ୍ଷା ବିଭାଗ।

ସମ୍ବନ୍ଧିତ ଖବର