ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : କରୋନା ପ୍ରକୋପ କମିଥିବାରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜ କଟକଣା ମଧ୍ୟରେ ଆଜି (ସୋମବାର)ଠାରୁ ଖୋଲିବ। ଶିକ୍ଷାଦାନ ପୂର୍ବରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କ୍ଲାସ୍‌ରୁମ୍‌, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରିସାରିଛନ୍ତି। ନିୟମିତ ଭାବେ ଚାଲିବାକୁ ଥିବା କ୍ଲାସରୁମ୍‌ ପାଠପଢ଼ାରେ ସମସ୍ତ ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦିଆଯିବ। ଯେତେଦୂର ସମ୍ଭବ, କ୍ଲାସରୁମ୍‌ ଶିକ୍ଷାର ରେକର୍ଡିଂ କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ।

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍‌ ଓ ହାତ ସାନିଟାଇଜ୍‌ କରିବେ। କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍‌ର ସାମାଜିକ ଦୂରତା ରକ୍ଷା ଉପରେ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ଭଲ ଭାବେ ଘୋଡ଼ାଇବେ। ଅସୁସ୍ଥତା ଅନୁଭବ କଲେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସମସ୍ତ ହଷ୍ଟେଲରେ ସଂଗରୋଧ ରୁମ୍‌ ରଖିବାକୁ ବାଧ୍ୟତାମୂଳକ ହୋଇଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ। ଅନ୍ୟ କ୍ଲାସ୍‌ଗୁଡ଼ିକ ଅବସ୍ଥା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍ ବ୍ୟବସ୍ଥା ହେବ। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଯେଉଁମାନେ କୋଭିଡ୍‌ ଗାଇଡଲାଇନ୍ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର