ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା ଓ ଆଇଟିଆଇଗୁଡ଼ିକ ବୁଧବାରଠାରୁ ଖୋଲିଛି। ତେବେ ପିଜି, ୟୁଜି, ଡିପ୍ଲୋମା, ଆଇଟିଆଇ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେବ। ତା’ପୂର୍ବରୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମ୍ପୂର୍ଣ୍ଣ କ୍ୟାମ୍ପସ ସମେତ କ୍ଲାସରୁମ୍‌, ଲାବରେଟୋରି, ହଷ୍ଟେଲ ଆଦିକୁ ବିଶୋଧନ କରାଯିବ। କ୍ଲାସରୁମ୍‌ ପାଠପଢ଼ା ଲାଗି ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି।

Advertisment

ଯେଉଁଥିରେ କୁହାଯାଇଛି ଯେ ସିଲାବସ୍‌ର ସମସ୍ତ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଯେତେଦୂର ସମ୍ଭବ କ୍ଲାସରୁମ୍‌ ଶିକ୍ଷାର ଭିଡିଓ ରେକର୍ଡିଂ କରାଯାଇ ରଖାଯିବ, ଫଳରେ ଯେଉଁ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବେ ସେମାନଙ୍କୁ ପରବର୍ତୀ ସମୟରେ ଦିଆଯାଇପାରିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଧୀନରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ବିଶ୍ବବିଦ୍ୟାଳୟ, କଲେଜକୁ ଆସିବେ ନାହିଁ। ମାକ୍ସ/ଫେସ୍‌ କଭର୍‌ ବାଧ୍ୟତାମୂଳକ ହୋଇଛି। କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍‌ର ଦୂରତା ରହିବା ଆବଶ୍ୟକ। ଅଧିକ ପିଲା ଥିଲେ କ୍ଲାସକୁ ବିଭାଜନ କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀ କିମ୍ବା କର୍ମଚାରୀ ଅସୁସ୍ଥ ଥିଲେ କର୍ତୃପକ୍ଷଙ୍କୁ ଜଣାଇବେ। ଏଥିସହ ଛାତ୍ରଛାତ୍ରୀଙ୍କ ଲାଗି ଆଜିଠୁ ହଷ୍ଟେଲ ଖୋଲିଛି। ସମସ୍ତ ହଷ୍ଟେଲରେ ଆଇସୋଲେସନ୍‌ ରୁମ୍‌ ରଖିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଗବେଷଣାଧର୍ମୀ କାର୍ଯ୍ୟକଳାପ ମଧ୍ୟ ୧୭ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।