ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏସ୍‌ଓପି ଜାରି ହୋଇଛି। ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନଙ୍କର ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହୋଇଯିବ।

ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବା ପରେ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ କ୍ଲାସ କରିପାରିବେ। କିନ୍ତୁ କଲେଜ କ୍ଲାସରୁମ୍‌, ପରୀକ୍ଷାଗାର, ଛାତ୍ରାବାସ ଆଦିରେ କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରିବାକୁ ହେବ।

କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ କର୍ମଚାରୀ ଅଫ୍‌ଲାଇନ୍‌ କ୍ଲାସରେ ଯୋଗ ଦେଇପାରିବେ ନାହିଁ। ଫେସ୍‌ ମାସ୍କ ଓ ଫେସ୍‌ କଭର ବାଧ୍ୟତାମୂଳକ ଭାବେ ବ୍ୟବହାର କରିବାକୁ ହେବ। ସେହିପିର ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜର ବ୍ୟବହାର କରିବାକୁ ପଡ଼ିବ। ସେହିଭଳି କଲେଜରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଛେପ ପକାଇବାକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଛାତ୍ରାବାସ ଗୁଡ଼ିକ ସେପ୍ଟେମ୍ବର ୫ ତାରିଖ ଠାରୁ ଖୋଲିବ।

ସମ୍ବନ୍ଧିତ ଖବର