୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, କରୋନା କଟକଣାରେ ଖୋଲିବ ହଷ୍ଟେଲ

ଏବେ କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ଅନୁମତି, ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ କଲେଜ କର୍ତୃପକ୍ଷ

ଭୁବନେଶ୍ବର : ରାଜ୍ୟରେ କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ଖୋଲିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ୯ରୁ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜ ଖୋଲିବ। ଶିକ୍ଷାଦାନ ପୂର୍ବରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ କ୍ଲାସ୍‌ରୁମ୍‌, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରିବେ। ନିୟମିତ ଭାବେ ଚାଲିବାକୁ ଥିବା କ୍ଲାସରୁମ୍‌ ପାଠପଢ଼ାରେ ସମସ୍ତ ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦିଆଯିବ। ଯେତେଦୂର ସମ୍ଭବ କ୍ଲାସରୁମ୍‌ ଶିକ୍ଷାର ରେକର୍ଡିଂ କରିବା ଦିଗରେ କର୍ତୃପକ୍ଷ ପଦକ୍ଷେପ ନେବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ କୋଭିଡ଼ ନିୟମର କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ତେବେ ବୈଷୟିକ ଶିକ୍ଷା ବିଭାଗର ଏଭଳି ବିଜ୍ଞପ୍ତିକୁ ନେଇ କେତେକ ଶିକ୍ଷାନୁଷ୍ଠାନ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଶେଷ ବର୍ଷ ଛାତ୍ରଛାତ୍ରୀ ବୋଲି ଯାହା ଉଲ୍ଲେଖ ହୋଇଛି ତାହା ଠିକ୍‌ ନୁହେଁ। କାରଣ ଇତିମଧ୍ୟରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପରୀକ୍ଷା ଚାଲିଛି। ସେମାନେ ଏବେ କଲେଜକୁ ଆସିବେ ନାହିଁ କି ପାଠପଢ଼ା ହେବ ନାହିଁ। ତେଣୁ କାହା ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ? ଶେଷବର୍ଷ ବଦଳରେ ବର୍ତମାନ ଯେଉଁମାନେ ପ୍ରଥମ ବର୍ଷରେ ପଢ଼ୁଛନ୍ତି ସେମାନଙ୍କ ପାଇଁ କ୍ଲାସରୁମ୍‌ ଶିକ୍ଷା ଦାନ ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଫଳରେ ପିଲାମାନେ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର