ହୀରାକୁଦ ବନ୍ଧ ନିରାପତ୍ତା ଯାଞ୍ଚ କଲେ ବିଶେଷଜ୍ଞ

ସମ୍ବଲପୁର : ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରଫୁଲ୍ଲ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ବିଶେଷଜ୍ଞ ଦଳ ଶନିବାର ହୀରାକୁଦ ବନ୍ଧ ପରିଦର୍ଶନ କରି ଏହାର ସମସ୍ତ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସେମାନେ ବନ୍ଧର ଉଭୟ ବାମ ଓ ଡାହାଣ ସ୍ପିଲ୍‌ ଓ୍ଵ’ର ସମସ୍ତ ଗେଟ୍‌, ଅପରେସନ୍‌ ଗ୍ୟାଲେରି, କ୍ରେନ୍‌ ଓ ଅନ୍ୟ ଯନ୍ତ୍ରପାତି ଯାଞ୍ଚ କରିଥିଲେ। ବନ୍ଧରେ ପୂର୍ବରୁ ସୃଷ୍ଟ ଫାଟ ଗୁଡ଼ିକର ଯାଞ୍ଚ କରିଥିଲେ ଓ ମରାମତି ପରେ ସେଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ସେସବୁ ଠିକ ଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଗେଟ୍‌ ଓ ଯନ୍ତ୍ରପାତି ଗୁଡ଼ିକର ନିୟମିତ ଗ୍ରିସିଂ ଓ ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେଇଥିଲେ। ଏହି ଦଳରେ ବିଶେଷଜ୍ଞଭାବେ ହୀରାକୁଦ ସଂପର୍କରେ ବହୁ ଅଭିଜ୍ଞତା ରଖିଥିବା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ହୀରାକୁଦ ମୁଖ୍ୟ ବନ୍ଧ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତଙ୍କ ସମେତ ଅନ୍ୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବନ୍ୟା ପାଣି ଛଡ଼ାଯିବା ବେଳେ ସାଧାରଣତଃ କେବେ ଖୋଲାଯାଉ ନଥିବା ଉଭୟ ସ୍ପିଲ୍‌ ଓ୍ଵ’ର ଶେଷ ଭାଗରେ ଥିବା ଗେଟ୍‌ ଗୁଡ଼ିକ ବି ଖୋଲି ପରୀକ୍ଷା କରାଯାଇଛି। ଉକ୍ତ ଗେଟ୍‌ ଗୁଡ଼ିକ ଖୋଲି ସଫା କରି ଗ୍ରିସିଂ କରାଯାଇଛି। ସମସ୍ତ ଗେଟ୍‌ ଖୋଲୁଛି ଓ ଆବଶ୍ୟକତା ବେଳେ ତୁରନ୍ତ ଖୋଲା ଯାଇ ପାରିବ ବୋଲି ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର