ସମୁଦ୍ର କୂଳ ଲଂଘିବା ଘଟଣା : ଅନୁଧ୍ୟାନ କଲେ ପାଞ୍ଚଜଣିଆ ବିଶେଷଜ୍ଞ ଦଳ

ପୁରୀ : ପୁରୀ ବେଳାଭୂମିରେ ସମୁଦ୍ର ଆଜି ବି ଉଗ୍ର ରହିଛି। ବର୍ତ୍ତମାନ ବେଳାମାର୍ଗଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ସମୁଦ୍ର ରହିଛି। ସମୁଦ୍ରର ଉଗ୍ରରୂପ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବୁଧବାର ରାତିରେ ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ଧଳଙ୍କ ନେତୃତ୍ୱରେ ଏକ ୫ଜଣିଆ ବିଶେଷଜ୍ଞ ଦଳ ସ୍ୱର୍ଗଦ୍ୱାର ଅଞ୍ଚଳରେ ସମୁଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ଦଳ ସ୍ଥିତି ପରଖିବା ପରେ ସେତେଟା ବିପଦ ନଥିବା କହିଛନ୍ତି। ଏହା ଜନଗହଳିପୂର୍ଣ୍ଣ ବେଳାଭୂମି ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ସମୁଦ୍ର ସ୍ନାନ କରିଥାନ୍ତି। ପଥର ପ୍ରାଚୀର ହେଲେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବାରୁ ଏଠାରେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରାଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦରକାର ପଡିଲେ ସିନ୍ଥେଟିକ୍‌ ପ୍ରାଚୀର (ଓ୍ଵାଲ) ନିର୍ମାଣ କଥା ଚିନ୍ତା କରାଯାଇପାରେ ବୋଲି ବିଶେଷଜ୍ଞ କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀରୁ ଆସିବାକୁ ଥିବା ବିଶେଷଜ୍ଞ ଦଳ ପୁରୀରେ ପହଞ୍ଚି ପାରିନାହାନ୍ତି।

ସମ୍ବନ୍ଧିତ ଖବର