ଶ୍ରୀମନ୍ଦିର‌ ତିନିଦ୍ବାରରେ ଲାଗିବ ରୁପା ଚାଦର, ଚାରି ଜଣିଆ ବୈଷୟିକ ଦଳର ମାପଚୁପ

ପୁରୀ : ଶ୍ରୀମନ୍ଦିରର ଜୟ-ବିଜୟ ଦ୍ବାର, ବେହରଣ ଦ୍ବାର ଓ କଳାହାଟ ଦ୍ବାର ରୁପାରେ ଚହଟିବ। ପୂର୍ବରୁ ଲାଗିଥିବା ପିତଳ ଚାଦର ହଟାଯାଇ ଏହାକୁ ସଂପୂର୍ଣ୍ଣ ରୁପା ଚାଦରରେ ଆଚ୍ଛାଦିତ କରାଯିବ। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦ ଆବଶ୍ୟକ ରୁପା ଶ୍ରୀମନ୍ଦିର ପ୍ରଶାସନକୁ ଦାନସୂତ୍ରରେ ଦେବେ। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ଆଜି ଶ୍ରୀମନ୍ଦିର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ବରେ ତିନିଜଣିଆ ବୈଷୟିକ ଦଳ ଶ୍ରୀମନ୍ଦିରର ଉପରୋକ୍ତ ତିନିଦ୍ବାରର ଅନୁଧ୍ୟାନ କରିଛନ୍ତି। ତିନିଦ୍ବାରର ମାପଚୁପ କରିବା ସହ ଏଥିରେ କେଉଁ ଡିଜାଇନ୍‌ରେ ରୁପା ଚାଦର ଦିଆଯିବ ତାର ସ୍ଥିତି ପରଖିଛନ୍ତି।

ଆଜି ମଧ୍ୟାହ୍ନରେ ଏହି ତିନିଜଣିଆ ବୈଷୟିକ ଦଳ ମନ୍ଦିର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା। ଦୁଇଘଣ୍ଟାରୁ ଅଧିକ ସମୟ ଧରି ଏହି ଦଳ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ‌ପରେ ଫେରିଥିଲେ। ଏହି ଦଳ ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଜୟ-ବିଜୟ ଦ୍ବାର, ବେ‌ହରଣ ଦ୍ବାର ଓ କଳାହାଟ ଦ୍ବାର ପାଇଁ ଜନୈକ ଭକ୍ତ ୧୯୨୦ କେଜିର ରୁପା ଦାନସୂତ୍ରରେ ଦେବେ। ଦୁଆର ପାଇଁ ଆବଶ୍ୟକ କାଠ ବି ଏହି ଭକ୍ତ ଯୋଗାଇଦେବେ। କେବଳ ଶ୍ରୀମନ୍ଦିର ପ୍ରଶାସନ ଏହାର ନିର୍ମାଣ ଖର୍ଚ୍ଚ ବହନ କରିବ। ବର୍ତ୍ତମାନ ଏହି ତିନିଦ୍ବାରରେ ପିତଳର ଚାଦର ଦିଆଯାଇଛି। କେବଳ କଳାହାଟ ଦ୍ବାରରେ ୦.୩ ମିମି ମୋଟେଇର ୩୦ କେଜି ରୁପା ଚାଦର ଲାଗିଛି। ଲାଗିଥିବା ପିତଳ ନଷ୍ଟ ହୋଇଯାଇଥିବାରୁ ଦ୍ବାର ଖୋଲିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ଦୃଷ୍ଟିରୁ ତିନିଦ୍ବାରକୁ ସଂପୂର୍ଣ୍ଣ ନୂଆ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ଏ ସଂପର୍କରେ କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ଡାକି ବୈଠକ କରିଥିଲା। ଆଲୋଚନା ଅନୁଯାୟୀ, ତିନିଦ୍ବାରକୁ ସଂପୂର୍ଣ୍ଣ ରୁପା ଚାଦରରେ ଆଚ୍ଛାଦିତ କରାଯିବ। ଏଥିପାଇଁ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରୁ ସ୍ବତନ୍ତ୍ର ବର୍ମା ଟିକ୍‌(ସ୍ବତନ୍ତ୍ର ଶାଗୁଆନ କାଠ) ଆସିବ। ୧୫ ଫୁଟିଆ ବର୍ମାଟିକ୍‌ ସିଜିନ୍‌ଡ ହେବା ପରେ ଏଥିରେ କଳାହାଟଦ୍ବାର, ବେହେରଣ ଦ୍ବାର ଓ ଜୟ ବିଜୟ ଦ୍ବାର ପାଇଁ କବାଟ ତିଆରି ହେବ। ପାରମ୍ପରିକ ଶୈଳୀରେ କବାଟର ଡିଜାଇନ୍‌ ପ୍ରସ୍ତୁତ ହେବ। ପରେ ଏଥିରେ ରୁପାର ଚାଦର ଦୁଇଫାଳିଆ ହୋଇ ଲାଗିବ। ଗୋଟିଏ ପାର୍ଶ୍ବର ରୁପାର ମାଟେଇ(ଗେଜ୍‌) ୧.୬୩ ଏମଏମ ରହିବ। ପ୍ରତିଦ୍ବାରରେ ୬୪୦ କେଜି ଓଜନର ରୁପା ଲାଗିବ। ଖୁବଶୀଘ୍ର ବେହେରଣ ଦ୍ବାର ଓ ଜୟବିଜୟ ଦ୍ବାର କାମ ଆରମ୍ଭ କରିବାକୁ ଯୋଜନା କରାଯାଇଛି। କିନ୍ତୁ କଳାହାଟ ଦ୍ବାର କାମ ଆସନ୍ତାବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ହେବାକୁ ଯୋଜନା କରାଯାଇଛି। କାରଣ ମହାପ୍ରଭୁ ରତ୍ନ ସିଂହାସନରେ ବିଜେ ସମୟରେ ଏହି ଦ୍ବାର କାମ ଅସମ୍ଭବ। ତିନିଦ୍ବାରରେ ରୁପା ଲାଗିବା ପାଇଁ ଡିଜାଇନ୍‌ ତଥା ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ ହେବ। ବିଭିନ୍ନ ସୁନା କମ୍ପାନିମାନେ କିଛି ଡିଜାଇନ୍‌ ବି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର