ଭୁବନେଶ୍ବର: ଟେକ୍ନୋଲୋଜି ଆମ ଜୀବନର ଅଂଶ। ଏବେ ସମାଜର ପ୍ରତି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛି। ତେଣୁ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ଆବଶ୍ୟକତା ପାଇଁ ଆମ ବୈଷୟିକ ଶିକ୍ଷାକୁ ପୁନଃରୂପ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଦ୍ବାରା ଆୟୋଜିତ ଏକାଡେମିକ ଅଧିବେଶନକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Advertisment

‘ନୂତନ ଶିକ୍ଷା ନୀତି-୨୦୨୦ରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ରୂପାନ୍ତର’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଆମ ସଭ୍ୟତାର ଭବିଷ୍ୟତ ଆମର ଶିକ୍ଷାର ଗୁଣବତ୍ତା ଦିଗ ଉପରେ ନିର୍ଭର କରେ। ଭବିଷ୍ୟତ ପାଇଁ ଆମେ ଆମ ପିଲାଙ୍କୁ କେତେ ସଫଳତାର ସହିତ ପ୍ରସ୍ତୁତ କରିଛୁ, ତାହା ଉପରେ ଗୁରୁତ୍ବ ଦେବାକୁ ହେବ। ସାମାଜିକ ଆକାଂକ୍ଷା, ବିକାଶର ପ୍ରାଥମିକତା ଓ ସାମାଜିକ ମୂଲ୍ୟବୋଧ ପାଇଁ ଉଚ୍ଚଶିକ୍ଷା ଗୁରୁତ୍ବପୂର୍ଣ୍ଣ। ତେଣୁ ଏଗୁଡ଼ିକର ନିୟମିତ ମୂଲ୍ୟାଙ୍କନ ହେବା ଆବଶ୍ୟକ। ବିପିୟୁଟିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ, ଶିକ୍ଷାର ସମସ୍ତ ସ୍ତରରେ ସ୍ୱର ଓ ଦିଗ ସ୍ଥିର କରିବା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଅର୍ଥପୂର୍ଣ୍ଣ ପ୍ରୟାସ। ବିଶିଷ୍ଟ ବୈଜ୍ଞାନିକ କେ କସ୍ତୁରିରଙ୍ଗନ୍‌ଙ୍କ ଦ୍ବାରା ପ୍ରସ୍ତୁତ ଏହି ନୀତି ଆମର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଆଜିର ଏହି ଅଧିବେଶନ ଶିକ୍ଷା ବ୍ୟବସ୍ଥାରେ ନୂତନ ନୀତି ଉପରେ ସଚେତନତା ଆଣିବାରେ ସାହାଯ୍ୟ କରିବ। ଏହାର କାର୍ଯ୍ୟକାରିତା ପାଇଁ ଆହ୍ବାନ ତଥା ସୁଯୋଗ ଉପରେ ବିଚାରବିମର୍ଶ କରିବ। ନୂତନ ଶିକ୍ଷା ନୀତି-୨୦୨୦ର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସ୍ପଷ୍ଟ ପ୍ରସ୍ତାବ ଓ ପରାମର୍ଶ ବାହାରକୁ ଆସିବ। ବୈଷୟିକ ଶିକ୍ଷାର ରୂପାନ୍ତର ପ୍ରୟାସରେ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌କୁ ପ୍ରଶଂସା କରିବା ସହ ୫-ଟି ମଡେଲ୍‌ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତା ଆସିଥିବା କହିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଉଦ୍‌ଘାଟନୀ ଅଧିବେଶନରେ ଉପସ୍ଥିତ ଥିଲେ। ବିପିୟୁଟି କୁଳପତି ପ୍ରଫେସର୍‌ ବଂଶୀଧର ମାଝି ସ୍ବାଗତ ଭାଷଣ ଦେଇଥିବା ବେଳେ ବିପିୟୁଟି କୁଳସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ନୀତି କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବିଦ୍ୟାଳୟର ଯୋଜନା ରହିଛି।

ବହୁ-ଶୃଙ୍ଖଳିତ ପାଠ୍ୟକ୍ରମର ପ୍ରବର୍ତ୍ତନ, ଅନୁସନ୍ଧାନ, ଗବେଷଣା ଓ ମାନ୍ୟତାରେ ଉନ୍ନତି ଆଣିବା, ଦକ୍ଷତା ବୃଦ୍ଧି, ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଫ୍ରେମ୍‌ୱାର୍କ ଢାଞ୍ଚା ପ୍ରସ୍ତୁତ, ଇଞ୍ଜିନିୟରିଂ ଶିକ୍ଷା, ଅଧ୍ୟାପିକା ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ସ୍ଥାନୀୟ ଭାଷାର ପ୍ରୋତ୍ସାହନ ଆଦି ବିଷୟରେ ଆଲୋଚନା ହୋଇଛି। ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମାଲକର, ଆଇଆଇଏସ୍‌ସି ବେଙ୍ଗାଲୁରୁର ପ୍ରଫେସର୍‌ ଏନ୍‌.ସି ଶିବପ୍ରକାଶ, ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଏସ୍‌.କେ ନାୟକ, ପେରି ଏଣ୍ଟରପ୍ରାଇଜେସ୍‌ର ସିଇଓ ଆର ଆର ମହାପାତ୍ର ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିଲେ।