ବର୍ବରତା: ୬ ବର୍ଷର ପାଳିତ ପୁଅକୁ ମାଡ଼, ଚେଂକ!

ନାବାଳକ ଉଦ୍ଧାର, ଦମ୍ପତି ଫେରାର୍‌

ବାହାନଗା/ଅଂଜି/ଗୋପାଳପୁର, ୨୭|୨ (ଇମିସ): ମୁଣ୍ଡରୁ ବାପା ମା’ଙ୍କ ହାତ ଉଠିଗଲା। ଅସହାୟ ହୋଇଗଲେ ତିନିପୁଅ। ନାତିମାନଙ୍କୁ ବଂଚାଇ ରଖିବା ପାଇଁ ବୃଦ୍ଧ ଅଜାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଲା। ଏମିତି କି ନାବାଳକ ସାନନାତି ଭଲରେ ରହିବ ବୋଲି ଏକ ଦମ୍ପତିଙ୍କ ହାତକୁ ଟେକିଦେଲେ। ହେଲେ ସେମାନଙ୍କ ଅସଲ ରୂପ କିନ୍ତୁ ଥିଲା ଅଲଗା। ନାବାଳକକୁ ପୁଅ ଭଳି ପାଳିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦମ୍ପତି ଶତ୍ରୁଠାରୁ ବଳିଗଲେ। କାମ କରାଇବା ସହ ଭୁଲ୍‌ ହେଲେ ଦଣ୍ଡ ଦେଉଥିଲେ। ଦଣ୍ଡ ବି ଏମିତି, ଜାଣିଲେ ଲୋମ ଟାଙ୍କୁରି ଉଠିବ। ମାଡ଼ ସହ ଗରମ ଲୁହାର ଚେଂକ ସହିବାକୁ ପଡ଼ିଛି ନାବାଳକକୁ। ଶେଷରେ ସେ ଆଜି ନର୍କରୁ ମୁକୁଳିଥିବା ବେଳେ ଘଟଣାକୁ ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଗୁରୁତର ଭାବେ ନେଇଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଦାଣ୍ଡହରିପୁର ପଞ୍ଚାୟତ ମୁଗୁନିପୁର ଗ୍ରାମର ଏହି ଘଟଣା ଆଲୋଡ଼ନ ଆଣିଛି।

ସୂଚନା ଅନୁସାରେ, ଖନ୍ତାପଡ଼ା ଥାନା ତାଳପଦା ଅଂଚଳର ହରୀଶ (ଛଦ୍ମନାମ)ଙ୍କ ଝିଅ ରଂଜୁ (ଛଦ୍ମନାମ) ସିମୁଳିଆ ଥାନା ବାଟି ଅଞ୍ଚଳରେ ବିବାହ କରିଥିଲେ। ରଂଜୁଙ୍କର ୩ ପୁଅ ହୋଇଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୫ ବର୍ଷ ହେଲା ପୁଅମାନଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ। ମାଆକୁ ଚାହିଁ ଚାହିଁ ଶେଷରେ ନାବାଳକ ପିଲାଏ ଅଜା ହରୀଶଙ୍କ ପାଖରେ ରହିଲେ। ପରିବାର ସହ ନାତିମାନଙ୍କ ବୋଝ ବୃଦ୍ଧ ହରିଶଙ୍କୁ ଅସମ୍ଭାଳ ହେଲା। ଫଳରେ ସେ ବଡ଼ନାତିର ଭବିଷ୍ୟତ ଗଢ଼ିବା ପାଇଁ ବାଲେଶ୍ୱର ବାଳାଶ୍ରମରେ ଛାଡ଼ିଦେଲେ। ଏପରି ସମୟରେ ବାହାନଗା ବ୍ଲକ୍‌ ଦାଣ୍ଡହରିପୁର ପଞ୍ଚାୟତ ମୁଗୁନିପୁରର ଶ୍ରୀଧର ମଳିକ ଓ ପତ୍ନୀ ମାଉନୀ ମଳିକ ହରୀଶଙ୍କ ସାନନାତିକୁ ପୁଅ କରି ନେବା ପାଇଁ ଅନୁରୋଧ କରିଥିଲେ। ନୂଆ ବାପା ମାଆ ପାଇ ନାତି ଭଲରେ ରହିବ ଭାବି ହରୀଶ ସେମାନଙ୍କ କଥାରେ ନାତିକୁ ଟେକି ଦେଇଥିଲେ। ହେଲେ ସେମାନଙ୍କ ଅସଲ ରୂପ ଥିଲା ଅଲଗା। ନାବାଳକକୁ ପୁଅ ବୋଲି ପାଳିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦମ୍ପତି ତା’କୁ କାମରେ ଖଟାଉଥିବା ବେଳେ ଭୁଲ୍‌ ହେଲେ ଆଖିବୁଜା ମାଡ଼ ସହ ଗରମ ଲୁହାରେ ଚେଂକ ଦେଉଥିଲେ। ଦିନ ଦିନ ଧରି ଖାଇବାକୁ ବି ଦେଉନଥିଲେ। ତେବେ ଏ ନେଇ ଖବର ପାଇବା ପରେ ହରୀଶ ନାତିକୁ ଦେଖିବା ପାଇଁ ଆଜି ମୁଗୁନିପୁରକୁ ଯାଇଥିଲେ। ସେଠାରେ ନାତିର ଦୟନୀୟ ଅବସ୍ଥା ଦେଖି ତା’କୁ ତୁରନ୍ତ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ନାତି ଓ ଡାକ୍ତର ଠାରୁ ନିର୍ଯାତନା କଥା ଜାଣିବାକୁ ପାଇଥିଲେ। ଏନେଇ ହରୀଶ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଖବର ପ୍ରଚାରିତ ହେବା ପରେ ଖନ୍ତାପଡ଼ା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ଗୋପାଳପୁର ଫାଣ୍ଡିରୁ ନାବାଳକକୁ ଉଦ୍ଧାର କରିଥିଲେ। ଶିଶୁ ସୁରକ୍ଷା ସମିତିର ଲିଗାଲ୍‌ ପ୍ରୋଟେକ୍ସନ ଅଫିସର ମୁକ୍ତିକାନ୍ତ ପଣ୍ଡା, କାଉନ୍‌ସିଲର ପୁଷ୍ପଲତା ଜେନା, ଜୁଭେନାଇଲ୍‌ ପୁଲିସ ସଞ୍ଜୁକ୍ତା ରାଉତ ତଦନ୍ତ ପାଇଁ ମୁଗୁନିପୁରକୁ ଯାଇଥିବା ବେଳେ ସଂପୃକ୍ତ ଦମ୍ପତି ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିଲେ। ଫଳରେ ସେମାନେ ପଡ଼ୋଶୀମାନଙ୍କୁ ପଚରାଉଚରା କରି ଫେରିଛନ୍ତି। ଅନ୍ୟପଟେ ଉଦ୍ଧାର ନାବାଳକର ଉନ୍ନତ ଚିକିତ୍ସା ପାଇଁ ତାକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର