ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଶୁଣାଣି ୨ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଅନୁଗୁଳ: ଆଜି ଅତିରିକ୍ତ ଜିଲ୍ଲା ‌ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍(ପକ୍‌ସୋ) ପ୍ରଭାକର ଗଣ୍ଠିଆ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଶୁଣାଇ ଦୁଇ ଅଭିଯୁକ୍ତ ସୁଶାନ୍ତ ନାଏକ ଓ ପ୍ରଶାନ୍ତ ନାଏକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିିତ କରିଛନ୍ତିି। ଗତ ୧୯ ଅଗଷ୍ଟ ୨୦୧୫ ରାତି ୧୨ଟାରେ ନିଶା ଥାନା ଅଂଚଳର ଜଣେ ୧୫ ବର୍ଷୀୟା ବାଳିକା ପରିସ୍ରା କରିବାକୁ ଉଠିଥିଲେ। ଠିକ୍ ସେହି ସମୟରେ ତାଙ୍କ ମୋବାଇଲ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନାବାଳିକାଙ୍କୁ ତାଙ୍କର ଜଣେ ଘନିଷ୍ଠ ବାନ୍ଧବୀ ଘର ବାହାରେ ଅପେକ୍ଷା କରିଥିବା କହିଥିଲେ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ତାଙ୍କ ବାନ୍ଧବୀଙ୍କ ସ୍ବାମୀ‌ ହୋଇଥିବା ଭାବି ପୀଡ଼ିତା ଘରୁ ବାହାରିଥିଲେ। ଘର ସମ୍ମୁଖରେ କିନ୍ତୁ ପୀଡ଼ିତାଙ୍କ ଭାଇଙ୍କ ସାଂଗ ମଝିକାର ଗାଁର ସୁଶାନ୍ତ ନାଏକ ଓ ତା’ର ସାଂଗ ପଞ୍ଚମହଲାର ପ୍ରଶାନ୍ତ ନାଏକ ଛିଡ଼ା ହୋଇଥିଲେ। ପାଖକୁ ଯିବାରୁ ବାଇକ୍‌ରେ ତାଙ୍କୁ ବସାଇ ଜୋରଜବରଦସ୍ତ ଡେରଜାଂଗ ‌ଡ୍ୟାମ୍‌ ପାଖ ଜଂଗଲକ୍ୁ ନେଇ ଯାଇଥିଲେ। ଉଭୟେ ତାଙ୍କୁ ବାରଂବାର ଦୁଷ୍କର୍ମ କରିଥିଲେ। ୨୦ ତାରିଖ ଅପରାହ୍‌ଣ ୩ଟାରେ ଅନୁଗୁଳ ବସ୍‌ଷ୍ଟାଣ୍ଡରେ ଛାଡ଼ି ପଳାଇ ଯାଇଥିଲେ। ଘଟଣା ସଂକ୍ରାନ୍ତରେ କାହାରି ଆଗରେ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ।

ଏହା ପରେ ପୀଡ଼ିତା ନ୍ୟାୟ ପାଇଁ ସିଧା ଅନୁଗୁଳ ଥାନାକୁ ଯାଇ ଘଟଣା ସଂକ୍ରାନ୍ତରେ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଅନୁଗୁଳ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରିଥିଲା। ମାମଲାର ବିଚାର ବେଳେ ୧୫ ଜଣ ସାକ୍ଷ୍ୟ ନିଆଯାଇଥିଲା। ଅତିରିକ୍ତ ଜିଲ୍ଲା ‌ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍(ପକ୍‌ସୋ) ପ୍ରଭାକର ଗଣ୍ଠିଆ ଏହି ମାମଲାର ବିଚାର କରି ଆଇପିସିର ଧାରା ୩୬୬ରେ ଉଭୟ ଅଭିଯୁକ୍ତ ସୁଶାନ୍ତ ଓ ପ୍ରଶାନ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଆଇପିସିର ଧାରା ୩୭୬(ଡି)ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ଆଇପିସିର ଧାରା ୫୦୬ରେ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସବୁ ଧାରାର‌ କାରାଦଣ୍ଡ ଏକ ସଂଗରେ ଚାଲିବ ବୋଲି ରାୟରେ ଉଲ୍ଲେଖ ରହିଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରମୋଦ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର