କୁଳିଅଣା: ୧୦ ବର୍ଷର ଜଣେ ନାବାଳିକା ସୁନିତା (ଛଦ୍ମନାମ) ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତା ସୁନିତା ଜନ୍ମରୁ ମା’ ଛେଉଣ୍ଡ। ସେ ଏବେ ୭ ମାସର ଅନ୍ତଃସତ୍ତ୍ୱା। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେନ୍ଦୁଆଡିହା ଗାଁରେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ କୁଳିଅଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।
ସୁନିତାଙ୍କ ବାପା ଜଣେ ଶ୍ରମିକ। ସେ ଅନେକ ସମୟରେ ଘରେ ନଥା’ନ୍ତି। ଏହାର ସୁଯୋଗ ନେଇ କେତେକ ଅସାମାଜିକ ଯୁବକ ନାବାଳିକାଙ୍କୁ ପ୍ରଲୋଭିତ କରି ନିଜ କବ୍ଜାକୁ ନେଇଥିଲେ। ଶେଷରେ ଶାରୀରିକ ସମ୍ପର୍କ କାରଣରୁ ସେ ଏବେ ୭ ମାସର ଅନ୍ତଃସତ୍ତ୍ୱା। ଏହା ଜଣାପଡ଼ିବା ପରେ ଗାଁରେ ବୈଠକ ବସିଥିଲା। ଗାଁର ୬ ଜଣ ଏଭଳି କୁତ୍ସିତ କାମ କରିଥିବା ସୁନିତା କହିଥିଲେ। ହେଲେ ସଂପୃକ୍ତ ଯୁବକମାନେ ଏହାକୁ ଅସ୍ୱୀକାର କରିବାରୁ ପୀଡ଼ିତାଙ୍କ ବାପା ଥାନାରେ ଜଣାଇଥିଲେ। ଏହାପରେ କୁଳିଅଣା ଥାନା ପୁଲିସ ଥାନା କେସ୍ ନମ୍ବର ୧୦୪/୧୭ରେ ମାମଲା ରୁଜୁ କରି ସେହି ଗାଁର ଅଭିଯୁକ୍ତ ଜଗନ୍ନାଥ ନାଏକ, ଗଜେନ୍ଦ୍ର ନାଏକ, ଅଶ୍ୱିନୀ ପ୍ରଧାନ, ଗୌଡ଼ରୁମା ଗାଁର ଜଗନ୍ନାଥ ବିନ୍ଧାଣି ଓ ସନିଆ ନାଏକ ଓ ତୁଳସୀବଣି ଗାଁର କଚ୍ଛ ନାଏକଙ୍କୁ ଥାନାକୁ ଉଠାଇନେଇଛି। ସଦର ଏସ୍ଡିପିଓ ଅଭିମନ୍ୟୁ ନାୟକ ଏହି ମାମଲାର ତଦନ୍ତ କରୁଛନ୍ତି।