ଥାନା ଅଧିକାରୀ କହିଲେ, ଆମେ କହିନୁ
ଘଟଣାର ତଦନ୍ତ ହେବ: ଏସ୍ଡିପିଓ
ଅନୁଗୁଳ/ଛେଣ୍ଡିପଦା : ଅନୁଗୁଳରେ ଏକ ଭିଡିଓ ଭାଇରାଲ୍କୁ ନେଇ ଚର୍ଚ୍ଚା ଜୋର୍ ଧରିିଛି। ୩୭ସେକେଣ୍ଡ୍ର ଏହି ଭିଡିଓରେ ଜଣେ ନାବାଳକ ଥାନା ବାରଣ୍ଡାରେ ଉଠବସ୍ ହେବା ସହ ଜଣଙ୍କ ପାଦ ତଳେ ଆଣ୍ଠୁମାଡ଼ି ଭୁଲ୍ ମାଗୁଥିବା ଦେଖିବାକୁ ମିଳିଛି। ଛେଣ୍ଡିପଦା ଥାନାରେ ଏ ଘଟଣା ଘଟିଥିବା ବେଳେ ଚେୟାର୍ରେ ସ୍ଥାନୀୟ ଅଂଚଳର ଜଣେ ଓକିଲ ବସି ନାବାଳକଙ୍କୁ ଉଠବସ୍ ଓ ଭୁଲ୍ ମାଗିବା ପାଇଁ ନିର୍ଦେଶ ଦେଉଛନ୍ତି। ତେବେ ଛେଣ୍ଡିପଦାର ଭାରପ୍ରାପ୍ତ ଥାନା ଅଧିକାରୀ ନିର୍ମଳ ଗୋଚ୍ଛାୟତ କହିଛନ୍ତି, ପୁଲିସ ସଂପୃକ୍ତ ନାବାଳକକୁ ଉଠବସ୍ କିମ୍ବା ଭୁଲ୍ ମାଗିବା ପାଇଁ କହିନାହିଁ। ହେଲେ ଥାନାରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ପୁଲିସ କେମିତି ଜାଣିପାରିଲା ନାହିଁ ବୋଲି ଏବେ ପ୍ରଶ୍ନ ଉଠୁଛି।
ଅନ୍ୟପଟେ ଏହି ଭିଡିଓ ସହିତ ବାଗେଡ଼ିଆ ଅଂଚଳରେ ଗତ ୨୦ତାରିଖରେ ଜଣେ ୭ବର୍ଷର ନାବାଳିକା ଝିଅ ସହିତ ହୋଇଥିବା ଦୁଷ୍କର୍ମ ଉଦ୍ୟମ ଘଟଣାର ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁସାରେ, ସଂପୃକ୍ତ ନାବାଳିକା ଜଣକ ଗତ ଶନିବାର ଦିନ ପ୍ରାୟ ସାଢ଼େ ୪ଟା ବେଳେ ବାଗେଡ଼ିଆ ବଜାରକୁ ବହି କିଣିବା ପାଇଁ ଯାଇଥିଲେ। ଦୋକାନରେ ବହି ମାଲିକଙ୍କ ଅନୁପସ୍ଥିତ ଥିବା ବେଳେ ତାଙ୍କ ନାବାଳକ ଭଣଜା ଥିଲେ। ନାବାଳିକା ଜଣକ ବହି ମାଗିବା ପରେ ନାବାଳକ ଜଣକ ତାଙ୍କୁ ଦୋକାନ ଭିତରକୁ ଡାକି ନେଇଥିଲେ। ସେଠାରେ ଦୁଷ୍କର୍ମ ଉଦ୍ୟମ କରିବାରୁ ନାବାଳିକା ଜଣକ ଜୋର୍ରେ ପାଟି କରିିଥିଲେ। ଲୋକମାନେ ପାଟି ଶୁଣି ଦୋକାନ ଆଗରେ ରୁଣ୍ଡ ହୋଇ ହୋହଲ୍ଲା କରିଥିଲେ। ନାବାଳିକା ଜଣକ ଘରକୁ ଆସି ଏ ସଂକ୍ରାନ୍ତରେ ମାମୁଙ୍କୁ କହିଥିଲେ। ମାମୁ ଏ ନେଇ ଗତ ୨୦ତାରିଖ ବାଗେଡ଼ିଆ ଫାଣ୍ଡିକୁ ଯାଇଥିଲେ। କଥା ଛେଣ୍ଡିପଦା ଥାନାକୁ ବି ଯାଇଥିଲା ବୋଲି ସୂଚନା ମିଳିଥିଲା। ମାତ୍ର ଥାନାରେ ଏ ନେଇ ଏତଲା କି ମାମଲା ହୋଇନଥିବା ପୁଲିସ କହୁଛି।
ଅନ୍ୟପକ୍ଷରେ ତେବେ ଯେଉଁ ନାବାଳକଙ୍କ ବିରୋଧରେ ଏଭଳି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିଲା, ସେହି ନାବାଳକ ଭାଇରାଲ୍ ଭିଡିଓରେ ଉଠବସ୍ ହେବା ସହ ଭୁଲ ମାଗୁଥିବାରୁ ପୁଲିସର ମନ୍ତବ୍ୟ ଓ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ଘଟଣାରେ ପୁଲିସ ବହୁତ କିଛି ଲୁଚାଇବାକୁ ଉଦ୍ୟମ କରୁଥିବା ଭଳି ଲାଗୁଛି। ଏମିତିକି ଅର୍ଥ ବଳରେ ମାମଲାକୁ ଥାନାରେ ରଫାଦଫା କରାଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ଏ ସଂପର୍କରେ ଏସ୍ଡିପିଓ ହରିହର ପାଣି କହିଛନ୍ତି, ସେ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଦୁଷ୍କର୍ମ ଉଦ୍ୟମ ସଂକ୍ରାନ୍ତରେ ପୀଡିତାଙ୍କ ମାମୁ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ଏତଲା ହୋଇଥିଲେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥା’ନ୍ତା। କିନ୍ତୁ କେଉଁ ପରିସ୍ଥିତିରେ ଥାନାରେ ନାବାଳକଙ୍କୁ ଉଠବସ୍ କରାଯାଇଛି ଏବଂ ଭୁଲ୍ ମଗାଯାଇଛି, ତାହାର ତଦନ୍ତ କରାଯିବ ବୋଲି ଶ୍ରୀ ପାଣି କହିଛନ୍ତି।