ତିନ୍‌ ତଲାକ୍‌ ବିଲ୍‌କୁ ବିଜେଡ଼ିର ସମର୍ଥନ ନେଇ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର : ସଂସଦରେ ତିନ୍‌ ତଲାକ୍‌ ବିଲ୍‌କୁ ବିଜୁ ଜନତା ଦଳ ସମର୍ଥନ କରିଥିବାରୁ କଂଗ୍ରେସ ପକ୍ଷରୁ ରାଜ୍ୟ ବିଧାନସଭାରେ ସମାଲୋଚନା କରାଯାଇଛି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ ଯେ, ଗତକାଲି ସଂସଦରେ ତିନ୍‌ ତଲାକ୍‌ ବିଲ୍‌ ବିଜୁ ଜନତା ଦଳର ସମର୍ଥନ ଯୋଗୁଁ ଗୃହିତ ହୋଇ ପାରିଛି । ବିଜେଡ଼ି ସଂସଦୀୟ ଦଳ ପକ୍ଷରୁ ଭୋଟ ବେଳେ ସବୁ ଦଳୀୟ ସାଂସଦ ଉପସ୍ଥିତ ରହିବାକୁ ହ୍ଵିପ୍‌ ଜାରି କରାଯାଇଥିଲା । ନିର୍ବାଚନ ବେଳେ ଏବଂ ତା’ ପୂର୍ବରୁ ଉଭୟ ବିଜେଡ଼ି ଓ ବିଜେପି ପରସ୍ପରକୁ ତୀବ୍ର ଆକ୍ରମଣ କରିଥିଲେ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସ ଓ ବିଜେପି ସାଙ୍ଗେ ସମଦୂରତ୍ୱ ରକ୍ଷା କରାଯାଇଛି ବୋଲି କହୁଥିଲେ । କିନ୍ତୁ ପ୍ରକୃତରେ ବିଜେଡ଼ି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦୀ ସରକାରକୁ ସବୁ ବିଲ୍‌ରେ ସମର୍ଥନ କରୁଛନ୍ତି । ତେଣୁ ନବୀନ ସ୍ପଷ୍ଟ କରନ୍ତୁ କେନ୍ଦ୍ରରେ କ’ଣ ବିଜେଡ଼ି-ବିଜେପି ମିଳିତ ସରକାର ଚାଲିଛି କି?

odishaassembly.nic.in

ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବିଜେଡ଼ି ଉଭୟ କଂଗ୍ରେସ ଓ ବିଜେପି ସହିତ ସମଦୂରତା ରକ୍ଷା କରୁଛି । ବରଂ ପାଟକୁରା ଉପନିର୍ବାଚନରେ କଂଗ୍ରେସର ଭୋଟ ବିଜେପିକୁ ଯାଇଛି । ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ ଦର୍ଶାଇଥିଲେ ଯେ, ତାଙ୍କ ଦଳ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ଆସିଛି । ସେଥିପାଇଁ ତିନ୍‌ ତଲାକ୍‌ ବିଲ୍‌କୁ ସମର୍ଥନ କରିଛି ।

ସମ୍ବନ୍ଧିତ ଖବର